Wed. Mar 11th, 2026

ପୁତୁରା ଠେଙ୍ଗା ମାଡ଼ରେ ବଡ଼ବାପା, ବଡ଼ବୋଉ ମୃତ

239 Views

କେନ୍ଦ୍ରାପଡା ୧୮/୧୧ : ପାଟକୁରା ଥାନା ମଙ୍ଗରାଜପୁର ପଞ୍ଚାୟତ ଅଧୀନ ମଧୁସୂଦନପୁର ଗ୍ରାମରେ ଆଜି ବିଳମ୍ବିତ ରାତିରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୀଭତ୍ସ କାଣ୍ଡ ଘଟିଛି। ପୁତୁରାର ଠେଙ୍ଗାମାଡ଼ରେ ବଡ଼ବାପା ଓ ବଡ଼ବୋଉଙ୍କ ମୃତ୍ୟୁ ଘଟିଛି। ବାପାଙ୍କୁ ମଧ୍ୟ ସେ ଠେଙ୍ଗାରେ ପିଟି ଆହତ କରିଛନ୍ତି। ଠେଙ୍ଗା ମାଡ଼ରେ ପରିବାରର ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମଧୁସୂଦନପୁର ଗ୍ରାମର ଧ୍ରୁବ ଦାସ ଓ ସାନଭାଇ ଅକ୍ଷୟ ଦାସଙ୍କ ପରିବାରରେ ଜମିବାଡ଼ି ବିବାଦକୁ ନେଇ ଦୀର୍ଘଦିନ ହେବ ତିକ୍ତତା ଲାଗି ରହିଥିଲା। ଏହାକୁ ନେଇ ଅକ୍ଷୟଙ୍କ ପୁଅ ଅମରବିକ୍ରମ ଆଜି ରାତି ପ୍ରାୟ ୯ଟାରେ ଘରେ ପହଞ୍ଚି ପାଟତୁଣ୍ଡ କରିଥିଲା। ଉତ୍ତ୍ୟକ୍ତ ଅବସ୍ଥାରେ ଗାଳିଗୁଲଜ ଆରମ୍ଭ କରି ଦେଇଥିଲା। ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିଥିଲା ଓ ଏକ ଠେଙ୍ଗାରେ ସମସ୍ତଙ୍କୁ ଗୋଡ଼ାଇ ପିଟିଥିଲା। ପ୍ରାଣ ବିକଳରେ ଦୌଡ଼ି ପଳାଇଯିବା ବେଳେ ବଡ଼ବାପା ଧ୍ରୁବ ଓ ବଡ଼ବୋଉ ସରସ୍ବତୀ ତଳେ ପଡ଼ିଯାଇଥିଲେ। ଅମର ସେମାନଙ୍କୁ ଠେଙ୍ଗାରେ ନିର୍ଘାତ ପ୍ରହାର କରିଥିଲା। ବାପା ଅକ୍ଷୟଙ୍କୁ ମଧ୍ୟ ଠେଙ୍ଗାରେ ପିଟିଥିଲା।

ସେହିପରି ଠେଙ୍ଗା ମାଡ଼ରେ ପରିବାର ସଦସ୍ୟ ପ୍ରତିମା ଦାସ ଓ କେତକୀ ଦାସ ମଧ୍ୟ ଆହତ ହୋଇଥି‌େଲ। ସେମାନଙ୍କ ଚିତ୍କାର ଶୁଣି ‌ପଡ଼ୋଶୀ ଲୋକେ ଦୌଡ଼ି ଆସିଥିଲେ। ସେମାନେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଧ୍ରୁବ ଓ ସରସ୍ବତୀଙ୍କ ମୃତ୍ୟୁ ଘଟିଥିଲା। ପାଟକୁରା ଥାନାଧିକାରୀ ସୁଜିତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେଠାରୁ ଦୁଇଟି ରକ୍ତଭିଜା ଠେଙ୍ଗା ଉଦ୍ଧାର କରାଯାଇଛି।

By amfnews

Related Post