Sun. Mar 8th, 2026

ପୁଣି ସିଦ୍ଧୁଙ୍କୁ ନିମନ୍ତ୍ରଣ କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏଥର କ’ଣ ପାଇଁ

235 Views

ଇସ୍‌ଲାମାବାଦ, ନଭେମ୍ବର ୨୪: କ୍ରିକେଟର୍‌ରୁ ରାଜନେତା ଓ ପରେ ପଞ୍ଜାବର ମନ୍ତ୍ରୀ ହୋଇଥିବା ନଭୋଜତ୍‌ ସିଂହ ସିଦ୍ଧୁଙ୍କୁ ପୁଣି ପାକିସ୍ତାନ ଯିବାକୁ ଡାକରା ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କର୍ତ୍ତାରପୁର ସାହିବ କରିଡରର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଇମ୍ରାନ୍‌ ଖାନ୍‌ ସ୍ୱତନ୍ତ୍ର ଭାବେ ସିଦ୍ଧୁଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି।

ଏହି ନିମନ୍ତ୍ରଣ ସମ୍ପର୍କରେ ସୂଚନା ଦେଇ ସିଦ୍ଧୁ କହିଛନ୍ତି, “ କର୍ତ୍ତାରପୁର ସାହିବ କରିଡର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଯିବିକି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ଭାରତରେ ଅବସ୍ଥାପିତ ପାକ୍‌ ହାଇକମିଶନ ପକ୍ଷରୁ ଯୋଗାଯୋଗ କରାଯାଇଛି। ମୁଁ ଏ ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ଭାରତ ସରକାରଙ୍କ ଅନୁମତି ଲୋଡ଼ିବି। ସେମାନେ ଅନୁମତି ଦେଲେ ମୁଁ ପାକିସ୍ତାନ ଯିବି କି ନାହିଁ, ତା’ର ନିଷ୍ପତ୍ତି ନେବି।”

ଇମ୍ରାନ୍‌ ଖାନ୍‌ ଆସନ୍ତା ନଭେମ୍ବର ୨୮ରେ କର୍ତ୍ତାରପୁର କରିଡର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସେହିଭଳି ନଭେମ୍ବର ୨୬ରେ ଭାରତ ସରକାରଙ୍କ ପ୍ରସ୍ତାବିତ କର୍ତ୍ତାରପୁର କରିଡର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ସୀମାନ୍ତରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ଏହି କରିଡର ଦ୍ୱାରା ପାକିସ୍ତାନର ରବି ନଦୀ କୂଳରେ ଥିବା  ଗୁରୁଦ୍ୱାର ଦରବାର ସାହିବକୁ ଶିଖ୍‌ ଶ୍ରଦ୍ଧାଳୁମାନେ ସହଜରେ ଯାତାୟାତ କରିପାରିବେ।

ପୂର୍ବରୁ ସିଦ୍ଧୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥପାଠ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା।

By amfnews

Related Post