ପୁରୀ, ଡିସେମ୍ବର ୨୮ : କିଛି ଦିନ ତଳେ ଶ୍ରୀମନ୍ଦିର ଖୋଲିବା ସମୟରେ କଡ଼ା କଟକଣା ଭିତରେ ଦୌଡିଦୌଡି ମହାପ୍ରଭୁଙ୍କୁ ଦର୍ଶନ ବେଶ୍ ଚର୍ଚ୍ଚିତ ହୋଇଥିଲେ ବାବା ବୈଷ୍ଣବ୍ ପୁରୀ । ପୂର୍ବରୁ ମଧ୍ୟ ସମାନ ଭାବରେ ରଥଯାତ୍ରାକୁ ସମର୍ଥନ ଓ ମନ୍ଦିର ପ୍ରଶାସନର ଅନ୍ୟାନ ପଦକ୍ଷପକୁ ନେଇ ନିଜ ମତ ରଖି ଚର୍ଚ୍ଚାକୁ ଆସିଛନ୍ତି ବାବା ।
ବର୍ତମାନ ପୁଣି ଚର୍ଚ୍ଚାରେ ବାବା ବୈଷ୍ଣବ୍ ପୁରୀ । ଧ୍ୟାନ କରିବାକୁ ଯିବା ସମୟରେ ପୋଲିସ୍ ମାଡ଼ରେ ଆହାତ ହୋଇଛନ୍ତି ବାବା । ସୂଚନା ଅନୁସାରେ ବାବା ବୈଷ୍ଣବ୍ ପୁରୀ ପ୍ରତିଦିନ ମେଘନାଦ ପାଚେରୀ ନିକଟରେ ଥିବା ଲଙ୍ଗୁଳୀ ମଠର ଧୂନାକୁଣ୍ଡ ଠାରେ ଧ୍ୟାନ ଜପ କରିଥାନ୍ତି ଓ ସେ ସେଇଠାରେ ହିଁ ରୁହନ୍ତି । କିନ୍ତୁ ବର୍ତମାନ ଶ୍ରୀମନ୍ଦିର ଖୋଲିବା ପରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ କରାଯାଇଛି ଯାହା ଫଳରେ ବାବାଙ୍କୁ ସେହି ଧୂନାକୁଣ୍ଡ ନିକଟକୁ ଯିବାକୁ ବାରଣ କରାଯାଇଛି । ଯାହା ଦ୍ୱାରା ବାବା ବୈଷ୍ଣବ୍ ପୁରୀଙ୍କ କହିବା ଅନୂଯାଇ ତାଙ୍କ ଧ୍ୟାନ, ପୂଜା ଆଦି ବାଧାପ୍ରାପ୍ତ ହେଉଛି ।
ଏବଂ ରବିବାର ସକାଳେ ବାବା ଏଥିରେ ବ୍ୟଥିତ ହୋଇ ଧୂନାକୁଣ୍ଡ ନିକଟକୁ ଯିବାକୁ ଡ୍ୟୁଟିରେ ଥିବା ପୋଲିସ୍ ମାନଙ୍କୁ ଗୁହାରି କରିଥିଲେ ହେଁ ପୋଲିସ୍ ମାନେ ବାବାଙ୍କୁ ସେଠାକୁ ଛାଡିନଥିଲେ । ଏହା ପରେ ପୁଣି ସଂଧ୍ୟା ସମୟରେ ବାବା ଧ୍ୟାନ କରିବା ପାଇଁ ସେହି ଧୂନା କୁଣ୍ଡ ନିକଟକୁ ଯିବାକୁ ଚେଷ୍ଟା କରିବା ସମୟରେ ପୋଲିସ୍ ବାବା ବୈଷ୍ଣବ୍ ପୁରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମଳିଛି । ଏବଂ ଜଣେ ସାଧୁଙ୍କ ଉପରେ ଏଭଳି ଭାବେ ପୋଳିସ୍ ର ଅତ୍ୟାଚାରକୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ମଧ୍ୟ ତୀବ୍ର ନିନ୍ଦା କରାଯାଇଛି ।