ପୁରୀ : ଫନି ବାତ୍ୟା ପରେ ସମୁଦ୍ର ପୁଣି କୂଳ ଲଂଘିଛି। ଗତ ଦୁଇ ଦିନ ହେଲା ସମୁଦ୍ର କୂଳ ଖାଉଥିବା ଦେଖିବାକୁ ମିଳିଛି। ସ୍ବର୍ଗଦ୍ବାର ନିକଟସ୍ଥ ବେଳାଭୂମିରେ ସମୁଦ୍ର ପାଖକୁ ପାଖକୁ ମାଡ଼ିଆସୁଛି। ସମୁଦ୍ର ଜୁଆରରେ ବାଲି ଅତଡ଼ା ମଧ୍ୟ ଧସୁଛି। ଏହାର ପ୍ରତିକାର ନ କଲେ ସମୁଦ୍ର ବେଳାମାର୍ଗର ନିକଟତର ହେବ ବୋଲି କୁହାଯାଉଛି। ଗତ କିଛି ମାସ ତଳେ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା। ପ୍ରତିକାର ପାଇଁ ଚେନ୍ନାଇରୁ ଏକ ବିଶେଷଜ୍ଞ ଟିମ୍ ଏଠାକୁ ଆସିଥିଲେ। ବେଳାଭୂମିରେ ଏକ ଜିଓ ସିନ୍ଥେଟିକ୍ ପ୍ରାଚୀର ନିର୍ମାଣ ପାଇଁ ବିଶେଷଜ୍ଞ ଟିମ୍ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା।
ମାତ୍ର ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ଏଠାରେ ତାହା କାର୍ଯ୍ୟକାରୀ କରିବା ସମ୍ଭବ ନଥିବାରୁ ଅନ୍ୟ କିଛି ପ୍ରତିକାର କରିବାକୁ ଯୋଜନା ହୋଇଥିଲା। ମାତ୍ର ପରେ ଏ କଥାକୁ ସମସ୍ତେ ଭୁଲି ଯାଇଥିଲେ। ଏବେ ସମୁଦ୍ରକୂଳ ଲଂଘୁଥିବାରୁ ଚିନ୍ତା ବଢିଛି। କୂଳ ଲଂଘିବା ଯୋଗୁ ଉଠାଦୋକାନୀଙ୍କୁ ଦୋକାନ ସ୍ଥାନାନ୍ତର କରିବାକୁ ପଡୁଛି।