Thu. Dec 26th, 2024

ପୁଣି ଆଇଏଏସ୍ ବିନୋଦ୍ କୁମାରଙ୍କ ଘରେ ଚଢାଉ, ଗିରଫ କରିବାକୁ ଯାଇ ଫେରିଲେ ଭିଜିଲାନ୍ସ ଅଧିକାରୀ

By Manas Jul 5, 2018 #Featured
205 Views

ଭୁବନେଶ୍ୱର, ୦୫ ଜୁଲାଇ : ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚଡିସି)ରେ ଆର୍ଥିକ ଅନିୟମିତତା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ଘର ଉପରେ ପୁଣି ଥରେ ଭିଜିଲାନ୍ସ ରେଡ୍ ହୋଇଛି । ଭିଜିଲାନ୍ସ ଡିଏସପି ନିର୍ମଳ ମହାନ୍ତିଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ବିନୋଦଙ୍କ ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ଏରିଆରେ ଥିବା ସରକାରୀ ବାସଭବନ ଉପରେ ଚଢାଉ କରିଥିଲା । ଗତକାଲି ପରି ଆଜି ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ବିନୋଦଙ୍କୁ ଗିରଫ କରିବାକୁ ଖୋଜିଥିଲେ ହେଁ ତାଙ୍କୁ ପାଇନଥିଲେ । ତେବେ ସେମାନେ ବିନୋଦଙ୍କ ବାସଭବନରୁ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି ।

ଏସମ୍ପର୍କରେ ଡିଏସପି ଶ୍ରୀ ମହାନ୍ତି କହିଛନ୍ତି ଯେ ଗତକାଲି ଆମେ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କ ଘର ଉପରେ ଆମେ ଗତକାଲି ସଂଧ୍ୟାରେ ରେଡ୍ କରିଥିଲୁ , ଆଜି ମଧ୍ୟ କଲୁ । ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରୀ ହୋଇଛି । ସେ ଏଠାରେ ନାହାନ୍ତି । ତାଙ୍କର ପତା ନମିଳିଲେ ତାଙ୍କୁ ପଳାତକ ଘୋଷଣା କରାଯିବ ଏବଂ ଏହା ପରେ ତାଙ୍କର ସମ୍ପତି ବାଜ୍ୟାପ୍ତି କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସିର ତତ୍କାଳୀନ ଏମଡି ତଥା ବରିଷ୍ଠ ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଥିଲେ । ବିନୋଦଙ୍କ ସମେତ ତତ୍କାଳୀନ ଆସିଷ୍ଟାଷ୍ଟ ମ୍ୟାନେଜର ସଂଜୟ ମହାନ୍ତି , ତତ୍କାଳୀନ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ତତ୍କାଳୀନ ଆକାଉଂଟସ ଅଫିସର ପ୍ରଦାପ ରାଉତ, ତକ୍ରାଳୀନ ଆକାଉଂଟ ଚିତରଂଜନ ମହାନ୍ତି ଓ ଆଶିଷ ନାୟକଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ସଂଜୟ ମହାନ୍ତି ହାଜର ହୋଇଥିବାରୁ ତାଙ୍କୁ ତିନି ବର୍ଷ ସଜା ଶୁଣାଇଥିଲେ ଏବଂ ଆଇଏଏସ ବିନୋଦ କୁମାର ସମେତ ୫ ଜଣ କୋର୍ଟରେ ହାଜରେ ନ ହେବାରୁ ସେମାନଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୦ ମସିହାରେ ଓଆରଏଚଡିସିରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିଲା ।

By Manas

Related Post