Sun. Mar 8th, 2026

ପିଏମସି ବ୍ୟାଙ୍କ ନେଲା ପୁଣି ଜଣଙ୍କ ଜୀବନ!

200 Views

ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପୋରେଟିଭ୍‌(ପିଏମସି) ବ୍ୟାଙ୍କରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପୁଣି ଜଣଙ୍କ ଜୀବନ ନେଇଛି। ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ଯୋଗୁ ଆକାଉଣ୍ଟଧାରୀ ନିଜ ଟଙ୍କା ଉଠାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆରବିଆଇ ଆକାଉଣ୍ଟଧାରୀଙ୍କୁ ମାତ୍ର ୪୦ ହଜାର ଟଙ୍କା ଉଠାଣ ପାଇଁ ଅନୁମତି ଦେଇଥିବାରୁ ଏହା ବିରୋଧରେ ଆନ୍ଦୋଳନ ତୀବ୍ର ହେଉଛି।

ଏହିକ୍ରମରେ ପିଏମସି ବ୍ୟାଙ୍କ ବିରୋଧରେ ହେଉଥିବା ଆନ୍ଦୋଳନରେ ଯୋଗଦେଇ ଘରକୁ ଫେରିଥିବା ୫୧ ବର୍ଷୀୟ ସଞ୍ଜୟ ଗୁଲାଟି ହୃଦଘାତରେ ପ୍ରାଣ ହରାଇଛନ୍ତି। ସଞ୍ଜୟଙ୍କ ଘର ମୁମ୍ବାଇର ଓଶିୱାରାରେ ଥିବା ଟପୋରିୱାଲା ଗାର୍ଡେନ୍ସ ନିକଟରେ। ସେ ପୂର୍ବରୁ ଜେଟ୍ ଏୟାରୱେଜରେ କାମ କରୁଥିଲେ।

ପିଏମସିର ଓଶିୱାରା ବ୍ରାଞ୍ଚରେ ସେ ୯୦ ଲକ୍ଷ ଟଙ୍କା ଜମା କରିଥିଲେ। ତାଙ୍କ ପୁଅ ଦିବ୍ୟାଙ୍କ ହୋଇଥିବାରୁ ସେ ନିୟମିତ ବ୍ୟାଙ୍କରୁ ଟଙ୍କା ଉଠାଇ ଥାଆନ୍ତି। ହେଲେ ଆରବିଆଇ ଟଙ୍କା ଉଠାଣରେ କଟକଣା ଲଗାଇବାରୁ ସେ ବିଚଳିତ ହୋଇପଡ଼ିଥିଲେ।

ଗତକାଲି ୨୦୦ ଆନ୍ଦୋଳନକାରୀଙ୍କ ସହ ସେ ମୁମ୍ବାଇରେ ଆୟୋଜିତ ରାଲିରେ ଯୋଗଦେଇଥିଲେ। ଘରକୁ ଫେରି ଖାଇବା ସମୟରେ ହିଁ ସେ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଆଉ ଜଣେ ବ୍ୟାଙ୍କ ଆକାଉଣ୍ଟଧାରୀ ମଧ୍ୟ ଜୀବନ ହରାଇଥିଲେ।

By amfnews

Related Post