Mon. Dec 23rd, 2024

ପିଏମସି ବ୍ୟାଙ୍କ ଠକେଇ: ଇଡି ତଦନ୍ତରୁ ସ୍ପଷ୍ଟ, ସଂଜୟ ରାଉତଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୨ କିସ୍ତିରେ ଆସିଥିଲା ଟଙ୍କା

By amfnews Jan 2, 2021 #Featured
281 Views

ନୂଆଦିଲ୍ଲୀ, ଜାନୁଆରୀ ୦୨ : ପଂଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କ ଦୁର୍ନୀତି ମାମଲାରେ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରବୀଣ ରାଉତଙ୍କ ୭୨ କୋଟି ଟଙ୍କାର ସଂପତ୍ତି ଆଟାଚ କରିଛି । ଇଡି ଦ୍ୱାରା ମନି ଲଣ୍ଡ୍ରିଂ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏତଦ ବ୍ୟତୀତ ଶିବସେନା ସାଂସଦ ସଂଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ଆକାଉଣ୍ଟରେ ଆସିଥିବା ଟଙ୍କା ପୂରା ତଥ୍ୟ ଦେଇଛି । 

ପିଏମସି ବ୍ୟାଙ୍କର ଏହି ପୂରା ମାମଲା ୪୩୫୫ କୋଟି ଟଙ୍କାର ଠକେଇ ସହିତ ଜଡ଼ିତ । ମୁମ୍ବାଇ ପୋଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାଉସିଂଗ ଡଭଲପମେଣ୍ଟ ଇନଫ୍ରାଷ୍ଟକ୍‌ଚର ଲିମିଟେଡ (ଏଚଡିଆଇଏଲ)ର ନିର୍ଦ୍ଦେଶକ ରାକେଶ କୁମାର ବାଧୱାନ, ସାରଙ୍ଗ ବାଧୱାନ, ଭରୟମ ସିଂହ ଓ ପିଏମସି ବ୍ୟାଙ୍କର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜୟ ଥୋମାସଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଅଭିଯୋଗ ଥିଲା ଯେ, ଏହି ସମସ୍ତେ ମିଶି ଠକେଇ କରିଛନ୍ତି, ଯେଉଁଥିରେ କି ଖାତାଧାରକଙ୍କର ବିପୁଳ କ୍ଷତି ହୋଇଛି । ଏହା ପରେ ଇଡି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

ଇଡିର ତଦନ୍ତରୁ ଜଣାପଡ଼ିଛି ଯେ ଏଚଡିଆଇଏଲ ପ୍ରବୀଣ ରାଉତଙ୍କୁ ବିନା କୌଣସି କାଗଜ ପତ୍ରରେ ବେଆଇନ ଭାବେ ମହାରାଷ୍ଟ୍ର ପାଳଘରରେ ଜମି କିଣିବାକୁ ୯୫ କୋଟି ଟଙ୍କା ଦେଇଥିଲା । ତଦନ୍ତ ପରେ ଜଣାପଡ଼ିଲା ଯେ, ପ୍ରବୀଣ ଏଥିରୁ ୧.୬ କୋଟି ଟଙ୍କା ନିଜର ପତ୍ନୀ ମାଧୁରୀ ପ୍ରବୀଣ ରାଉତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ । ପରେ ଏହି ଆକାଉଣ୍ଟରୁ ୫୫ ଲକ୍ଷ ଟଙ୍କା ୨ଟି କିସ୍ତିରେ ଶିବ ସେନା ନେତା ସଂଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା ।

By amfnews

Related Post