201 Views
ନୂଆଦିଲ୍ଲୀ, ଅକ୍ଟୋବର ୨୫ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କୋଟି କୋଟି ଟଙ୍କା ଚୂନ ଲଗାଇ ବିଦେଶ ପଳାୟନ କରିଥିବା ହୀରା ବ୍ୟବସାୟୀ ନୀରବ ମୋଦୀ ବିରୁଦ୍ଧରେ ଇଡି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅର୍ଥ ଶୋଧନ ନିବାରଣ ଅଧିନିୟମ ୨୦୦୨ ଆଧାରରେ ନୀରବ ମୋଦୀର ହଙ୍ଗକଙ୍ଗ ସ୍ଥିତ ୨୫୫ କୋଟି ଟଙ୍କାର ସମ୍ପତି ଜବତ କରିଛି ଇଡି । ପିଏନବି ଘୋଟାଲାରେ ବର୍ତମାନ ପର୍ଯ୍ୟନ୍ତ ଇଡି ୪୭୪୪ କୋଟି ଟଙ୍କାର ସମ୍ପତି ଜବତ କରି ସାରିଛି ।
ଏହା ପୂର୍ବରୁ ଅକ୍ଟୋବର ୧ରେ ଇଡି ନୀରବ ମୋଦୀର ୬୩୭ ଟଙ୍କାର ସମ୍ପତି ଜବତ କରିଥିଲା । ତେବେ ନୀରବ ମୋଦୀର ଭାରତ ସମେତ ଅନ୍ୟ ଚାରୋଟି ଦେଶରେ ତାହାର ସମ୍ପତି ରହିଛି । ଏଜେନ୍ସି କହିବା ଅନୁଯାୟୀ, ଜବତ ହୋଇଥିବା ସମ୍ପତି, ଆଭୂଷଣ, ଫ୍ଲାଟ, ଏବଂ ବ୍ୟାଙ୍କ ବାଲାନ୍ସ ଆଦି ଭାରତ, ବ୍ରିଟେନ ଏବଂ ନ୍ୟୁୟର୍କରେ ରହିଛି । ତେବେ ବହୁତ କମ୍ ମାମଲାରେ ଭାରତୀୟ ଏଜେନ୍ସି ବିଦେଶରେ ସମ୍ପତି ଜବତ କରିଛି ।
ସେହି ସମୟରେ ପିଏନବି ଘୋଟାଲାର ଅନ୍ୟ ଜଣେ ଅଭିଯୁକ୍ତ ମେହୁଲ ଚୋକ୍ସିର ୨୧୮ କୋଟି ଟଙ୍କାର ସମ୍ପତି ଅକ୍ଟୋବର ୧୭ ତାରିଖ ଦିନ ଜବତ ହୋଇଥିଲା । ପିଏମଏଲଏ କୋର୍ଟରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଇଡି ଏହି ପଦକ୍ଷେପ ଉଠାଇଛି । ଏହି ଘୋଟାଲରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ଏବଂ ମେହୁଲ ଚୋକ୍ସି ବିରୁଦ୍ଧରେ ଅଦାଲତ ୱାରେଂଟ ଜାରି କରିଛି ଏବଂ ଆଉ ଜଣେ ଅଭିଯୁକ୍ତ ଆଦିତ୍ୟ ନାନାବତୀ ବିରୁଦ୍ଧରେ ଇଡି ନୋଟିସ ଜାରି କରିଛି ।