Sun. Mar 8th, 2026
359 Views

ଭୁବନେଶ୍ବର : ପ୍ରାୟ ମାସେ କାଳ କନ୍ଦେଇ ଚାଲିଥିବା ପିଆଜ ଦର ବୃଦ୍ଧି ନିୟନ୍ତ୍ରଣକୁ ଆସି ନଥିବାବେଳେ ଆଳୁ ଦର ବୃଦ୍ଧି ଖାଉଟିଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। ଗତ ଦୁଇ ଦିନ ଭିତରେ ଆଳୁ ଦର ୬ଟଙ୍କା ବୃଦ୍ଧି ପାଇଛି। ଗତ ବୁଧବାର ପର୍ଯ୍ୟନ୍ତ ଖୁଚୁରା ବଜାରରେ କିଲୋ ପିଛା ୧୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଦର ଶନିବାର ୧୬ ଟଙ୍କାରେ ପହଞ୍ଚିଛି। ସମ୍ପ୍ରତି ପରିବା ବଜାର(ସବୁ ସବୁଜ ପରିବା ୪୦/୫୦ ଟଙ୍କା) ତାତି ସାଙ୍ଗକୁ ଆଳୁ, ପିଆଜ, ଅଦା ଓ ରସୁଣ ଦର ବୃଦ୍ଧି ହାଣ୍ଡିଶାଳରେ ଚଡ଼କ ପକାଇଛି।

କୁବେରପୁରୀରୁ ମିଳିଥିବା ସୂଚନାନୁସାରେ, ଆଳୁର ପାଇକାରୀ ଦର ୧୨ଟଙ୍କା ହୋଇଯାଇଛି। ବିହାରରେ ବନ୍ୟା ଓ ପଶ୍ଚିମବଙ୍ଗରେ ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ପରିବହନ ଖର୍ଚ୍ଚ ବଢ଼ି ଯାଇଛି। ବହୁ ମାଲ୍‌ବାହୀ ଗାଡ଼ି ପୂଜାରେ ଅଟକି ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଅମଳ ଓ ଆମଦାନୀରେ ଅନ୍ୟ କିଛି ସମସ୍ୟା ନାହିଁ। ତେଣୁ ଦୀପାବଳି ପର୍ଯ୍ୟନ୍ତ ଆଳୁ ଦର ସାମାନ୍ୟ ଅଧିକ ରହିବ। ଗତ ବୁଧବାର ସୁଦ୍ଧା ଆଳୁର ପାଇକାରୀ ଦର ୮ଟଙ୍କା ଥିବାରୁ ଖୁଚୁରା ବଜାରରେ ୧୦/୧୨ଟଙ୍କାରେ ମିଳୁଥିଲା। ମାତ୍ର ଗତକାଲିଠାରୁ ପାଇକାରୀ ଦର ୧୨ଟଙ୍କା ହୋଇଥିବାରୁ ଖୁଚୁରା ଦର ୧୬ ଟଙ୍କା ହୋଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ତେବେ ପିଆଜ ଦର ହ୍ରାସ ପାଇଛି ବୋଲି କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ର କହିଛନ୍ତି। ଗତ ଦୁଇ ଦିନ ହେଲା ପୁରୁଣା ପିଆଜ ଓ ନୂଆ ପିଆଜର ପାଇକାରୀ ଦର ଯଥାକ୍ରମେ ୩୪ ଟଙ୍କା ଓ ୩୨ ଟଙ୍କା ହୋଇଛି। ତେଣୁ ଖୁଚୁରା ଦର ଅତି ବେଶିରେ ୪୦ ଟଙ୍କା ହେବା କଥା। ମାତ୍ର ଏବେ ବି ପିଆଜର ଖୁଚୁରା ଦର ୪୫ ଟଙ୍କାରୁ କମ୍ ନାହିଁ। ଯୋଗାଣ ବିଭାଗର ନିଷ୍କ୍ରିୟତା ପାଇଁ ଖାଉଟିମାନେ ଖୁଚୁରା ବେପାରୀଙ୍କ ଦ୍ବାରା ଶୋଷିତ ହେଉଥିବା ସେ ଅଭିଯୋଗ କରିଛନ୍ତି।

By amfnews

Related Post