Thu. Jan 23rd, 2025

ପାନପୋଷ ଉପଖଣ୍ଡ ସ୍ତରୀୟ ଜନଜାତି ମୌସୁମୀ ସାଂସ୍କୃତିକ ସମାରୋହ ଉଦ୍ଘାଟିତ

rklsanchar@gmail.com' By J.N. Pradhan Jul 29, 2018 #Featured
234 Views

ରାଉରକେଲା, ୨୯/୭ : ସୁନ୍ଦରଗଡ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ପାନପୋଷ ଉପଖଣ୍ଡ ସ୍ତରୀୟ ଜନଜାତି ମୌସୁମୀ ସାଂସ୍କୃତିକ ସମାରୋହ ସ୍ଥାନୀୟ ଉଦିତନଗର ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୨୮ ଓ ୨୯ ତାରିଖ ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି ସାଂସ୍କୃତିକ ସମାରୋହକୁ ଆଜି ଅପରାହ୍ନ ୫ଟାରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ କୁମାର ଅମାତ ଓ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଏମା ଏକ୍କା ଏବଂ ରାଉରକେଲା ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀ, ପାନପୋଷ ଆଦିବାସୀ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଟୁକୁ ବାରିକ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକୁ ସମାରୋହର ଉଦ୍ଘାଟନ କରିଥିଲେ ।

ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ମଞ୍ଚାସୀନ ଅତିଥି ବୃନ୍ଦ ଏହି ସାଂସ୍କୃତିକ ମଞ୍ଚ ଜନଜାତିମାନଙ୍କ ସାଂସ୍କୃତିକ ପରମ୍ପରା, ସାମାଜିକ ଚଳଣୀ, ଜୀବନଜୀବିକା, ଜୀବନ ଶୈଳୀ, ଖେଳକୁଦର ପୁନରୁଦ୍ଧାର ସହ ଲୋକାଭିମୁଖୀ କରିବା ଏବଂ ଜନଜାତିଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଉଦ୍ଭାସିତ କରିବା ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଉଲ୍ଲେଖ କରିଥିଲେ । ଉଦ୍ଘାଟନୀ ଦିବସରେ ଓରାମ ସମାଜର ଦଳଗତ ନୃତ୍ୟକୁ ନେଇ ୧୪ଟି ଦଳ ନୃତ୍ୟ ପରିବେଷଣ କରିଥିବା ବେଳେ ଆସନ୍ତାକାଲି ଆହୁରି ୧୪ଟି ଦଳ ଏକକ ନୃତ୍ୟ ଯଥା କିସାନ, ଖଡିଆ, ସାନ୍ତାଳ, ମୁଣ୍ଡା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତାକାଲି ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେଉଥିବା ବେଳେ ସମାରୋହର ଉଦ୍ୟାପନୀ ଉତ୍ସବ ସନ୍ଧ୍ୟା ସାଢେ ୬ଟାରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ, ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ଜିଲାପାଳ ଓ ସୁନ୍ଦରଗଡ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା କୁସୁମ ଟେଟେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଉଦ୍ଘାଟନୀ ଉତ୍ସବରେ ପାନପୋଷ ଆଦିବାସୀ ଉନ୍ନୟନ ପ୍ରକଳ୍ପ ସଂସ୍ଥା ପ୍ରକଳ୍ପ ଅଧିକାରୀ ଟୁକୁ ବାରିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସୁନ୍ଦରଗଡ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟା ମିନତୀ ଦେବତା ଧନ୍ୟବାଦ ଦେଇଥିଲେ । ସମାରୋହର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ମୋହନଲାଲ କିସାନ, ଚିତ୍ତରଞ୍ଜନ ଭୂମିଜ, ଅନନ୍ତ ଚରଣ ମାଝି, ସୁରେଶ ଓରାମ, ରବି ଦେହୁରୀ, ତ୍ରିଭୁବନ ମିର୍ଦ୍ଧା, ସୋମନାଥ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଅଗଷ୍ଟ ୧୩, ୧୪ ଓ ୧୫ ତାରିଖରେ ଜିଲାସ୍ତରୀୟ ସାଂସ୍କୃତିକ ସମାରୋହ କରାଯିବାକୁ ସ୍ଥିର କରାଯାଇଛି ।

Related Post