Mon. Nov 25th, 2024

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ଫାଶୀ ଦଣ୍ଡାଦେଶ

By amfnews Dec 18, 2019 #Featured
101 Views

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ  ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି | ତାଙ୍କୁ ଦେଶଦ୍ରୋହ ଅପରାଧରେ ଦୋଷୀସାବ୍ୟସ୍ତ କରି ଏକ ସ୍ବତନ୍ତ୍ର ଅଦାଲତ ଏହି ଦଣ୍ଡ ଶୁଣାଇଛନ୍ତି | ପେଶାୱର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବକାର ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ଅଦାଲତର ଏକ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଘୋଷଣା କରିଛନ୍ତି | ଦେଶର ରାଷ୍ଟ୍ରପତି ଥିବା କୌଣସି ବ୍ୟକ୍ତିଙ୍କୁ ଏକ ସ୍ବତନ୍ତ୍ର ଅଦାଲତ ଦ୍ବାରା ଫାଶୀଦଣ୍ଡାଦେଶ ଦିଆଯିବା ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା ବୋଲି ପାକିସ୍ତାନୀ ଗଣମାଧ୍ୟମ ‘ଡନ୍’ ପ୍ରକାଶ କରିଛି।

୨୦୦୭ ନଭେମ୍ବର ୩ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ସମ୍ବିଧାନିକ ବ୍ୟବସ୍ଥାକୁ ରଦ୍ଦ କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ ହୋଇଥିଲା।  ପୂର୍ବତନ ରାଷ୍ଟ୍ରପତି ମୁସାରଫଙ୍କ ନାମରେ ୨୦୧୩ ମସିହା ଡିସେମ୍ବର ମ‌ାସରେ ତତ୍କାଳୀନ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ମୋକଦ୍ଦମା ଦାୟର କରାଯାଇଥିଲା ଓ ଏହାର ବିଚାର ଏକ ସ୍ବତନ୍ତ୍ର ଅଦାଲତରେ ଆରମ୍ଭ ହୋଇଥିଲା | ଏହି ମାମଲାର ବିଚାର କରି  ୨୦୧୪ ମସିହା ମାର୍ଚ୍ଚ ୩୧ରେ  ଅଦାଲତ ତାଙ୍କୁ ଦୋଷୀ ବୋଲି ଘୋଷଣା କରିଥିଲେ। ଏହାପରେ ମୁସାରଫ ଏହି ରାୟ ବିରୋଧରେ ଇସଲାମାବାଦ୍ ହାଇକୋର୍ଟରେ ଆବେଦନ କରିଥିଲେ।

ସ୍ବତନ୍ତ୍ର ଅଦାଲତରେ ମୁସାରଫଙ୍କ ବିଚାର ଚାଲିଥିବା ବେଳେ ସେ ୨୦୧୬ ମାର୍ଚ୍ଚରେ  ନିଜର ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ଚିକିତ୍ସା ଲାଗି  ପାକିସ୍ତାନ ଛାଡି ବିଦେଶ ଚାଲି ଯାଇଥିଲେ। ଏଥିଲାଗି ତାଙ୍କୁ ପାକିସ୍ତାନ ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ ଏବଂ ଇସଲାମାବାଦ୍ ହାଇକୋର୍ଟ ଅନୁମତି ଦେଇଥିଲେ। ତେବେ ଏହାପରେ ସେ ଆଉ ପାକିସ୍ତାନ ଫେରି ନ ଥିଲେ । ଅଦାଲତ ଓ ପାକିସ୍ତାନୀ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ବାରମ୍ବାର ସ୍ବଦେଶ ଫେରିବା ଲାଗି ସମନ ଜାରି କରୁଥିଲେ ମଧ୍ୟ ସେ ଭଗ୍ନସ୍ବାସ୍ଥ୍ୟାବସ୍ଥା ଦର୍ଶାଇ ଆସୁ ନ ଥିଲେ।  ସଂପ୍ରତି ସେ ଦୁବାଇରେ ରହିଥିବା ସୂଚନା ରହିଛି।

ଗତ ମାସରେ ସ୍ବତନ୍ତ୍ର ଅଦାଲତ ଡିସେମ୍ବର ୫ ତାରିଖ ସୁଦ୍ଧା ୭୬ ବର୍ଷୀୟ ପରଭେଜ୍ ମୁସାରଫଙ୍କୁ ଦେଶ‌ଦ୍ରୋହ ମାମଲାରେ ବ୍ୟକ୍ତଗତ ଭାବେ ଉପସ୍ଥିତ ହୋଇ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ମୁସାରଫ ଡାକ୍ତରଖାନରୁ ଏକ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସ୍ବାସ୍ଥ୍ୟରେ ଗୁରୁତର ସମସ୍ୟା ଥିବାରୁ ସେ ପାକିସ୍ତାନ ଆସିବା ଅବସ୍ଥାରେ ନାହାନ୍ତି ବୋଲି ଦର୍ଶାଇ ଥିଲେ। ଏଥିସହ ଏକ ଜୁଡିସିଆଲ୍ କମିସନ୍ ତାଙ୍କ ପାଖକୁ ଆସି ତାଙ୍କର ଅବସ୍ଥା ଅନୁଧ୍ୟାନ କରି ଯାଆନ୍ତୁ ବୋଲି ଅନୁରୋଧ କରିଥିଲେ।  ନିଜ ଓକିଲଙ୍କ ଜରିଆରେ ସ୍ବତନ୍ତ୍ର ଅଦାଲତରେ ସେ ପକ୍ଷ ରଖିବାକୁ ଚାହିଁଥିଲେ। ମାତ୍ର ଏହା ସମ୍ଭବ ହୋଇ ନ ଥିଲା। ଶେଷରେ ଡିସେମ୍ବର ୧୭ ତାରିଖରେ ସ୍ବତନ୍ତ୍ର ଅଦାଲତ ତାଙ୍କ ରାୟ ପ୍ରକାଶ କରିଛନ୍ତି।

ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡଯନ୍ତ୍ର କରିବା ଅଭିଯୋଗରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନୀ ସ୍ୱତନ୍ତ୍ର କୋର୍ଟ । ସେ ରାଷ୍ଟ୍ରପତି ଥିବାବେଳେ ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ସହ ସାମ୍ବିଧାନିକ ବ୍ୟବସ୍ଥାକୁ ରଦ୍ଦ କରିବା ସହ  ବିଚାରପତିମାନଙ୍କୁ ଗୃହବନ୍ଦୀ କରିଥିଲେ । ଏହି ଅଗଣତାନ୍ତ୍ରିକ କାର୍ଯ୍ୟାନୁଷ୍ଠାନ ଲାଗି ମୁସାରଫଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ସେନାଧ୍ୟକ୍ଷ ଥିବା ସମୟରେ ପରଭେଜ ମୁସାରଫ ଦେଶର ଶାସନ କ୍ଷମତାକୁ ମାଡ଼ି ବସିଥିଲେ। ସେନା ବାହିନୀର ସମର୍ଥନରେ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ସେ ପାକିସ୍ତାନର ରାଷ୍ଟ୍ରପତି ଭାବେ ନିରଙ୍କୁଶ କ୍ଷମତା ଉପଭୋଗ କରିଥିଲେ।

By amfnews

Related Post