Tue. Dec 24th, 2024

ପାକିସ୍ତାନ ଜେଲରୁ ମୁକ୍ତି ପାଇଲେ ୬୫ ବର୍ଷୀୟ ଭାରତୀୟ ମହିଳା, ଫେରିଲେ ଔରଙ୍ଗାବାଦ

By amfnews Jan 27, 2021 #Featured
489 Views

ଔରଙ୍ଗବାଦା, ଜାନୁଆରୀ ୨୭ : ସ୍ୱାମୀଙ୍କ ସଂପର୍କୀୟଙ୍କୁ ଭେଟିବାକୁ ପାକିସ୍ତାନ ଯାଇ ସେଠାରେ ଜେଲ କାଟିଥିବା ଭାରତୀୟ ମହିଳା ସ୍ୱଦେଶ ଫେରିଛନ୍ତି । ୬୫ ବର୍ଷୀୟ ମହିଳା ହାସିନା ବେଗମ ୧୮ ବର୍ଷ ପୂର୍ବରୁ ସ୍ୱାମୀଙ୍କ ସଂପର୍କୀୟଙ୍କୁ ଦେଖାକରିବା ପାଇଁ ପାକିସ୍ତାନ ଯାଇଥିଲେ । କିନ୍ତୁ ସେ ନିଜର ପାସପୋର୍ଟ ହଜେଇ ଦେବା ପରେ ତାଙ୍କୁ ସେଠାରେ ଜେଲରେ ଦିନ କାଟିବାକୁ ପଡ଼ିଥିଲା । ଜେଲ ଅବଧୀ ଶେଷ ହେବା ପରେ ହାସିନା ବେଗମ ମହାରାଷ୍ଟ୍ରର ଔରଙ୍ଗାବାଦସ୍ଥିତ ନିଜ ଘରକୁ ଫେରିଛନ୍ତି । 

ଘରକୁ ପହଂଚିବା ପରେ ତାଙ୍କୁ ଔରଙ୍ଗାବାଦ ପୋଲିସ ଓ ପରିବାର ଲୋକେ ସ୍ୱାଗତ ଜଣାଇଛନ୍ତି । ସ୍ୱଦେଶକୁ ଫେରିବା ପରେ ହାସିନା ବେଗମ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ସେଠାରେ ମୁଁ ବହୁତ କଷ୍ଟ ଅନୁଭବ କରିଛି । କିନ୍ତୁ ଏବେ ମୋତେ ଶାନ୍ତି ମିଳିପାରିଛି । ବର୍ତ୍ତମାନ ମୁଁ ଭାବୁଛି ସ୍ୱର୍ଗ ମିଳିଯାଇଛି । ମୋତେ ବଳପୂର୍ବକ ଭାବେ ଜେଲରେ ଭର୍ତ୍ତି କରାଯାଇଥିଲା । ଔରଙ୍ଗାବାଦ ପୋଲିସକୁ ଧନ୍ୟବାଦ ଜଣାଉଛି । 

ସୂଚନାଯୋଗ୍ୟ, ହାସିନା ବେଗମ ୧୮ ବର୍ଷ ପୂର୍ବରୁ ନିଜ ସ୍ୱାମୀଙ୍କ ଜଣେ ସଂପର୍କୀୟଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିଲେ । ଲାହୋର ପହଂଚିବା ପରେ ସେଠାରେ ସେ କୌଣସି ପ୍ରକାରରେ ନିଜର ପାସପୋର୍ଟ ହଜେଇ ଦେଇଥିଲେ । ପୋଲିସ କହିବା ଅନୁସାରେ ଔରଙ୍ଗାବାଦର ସିଟି ଛକ ପୋଲିସ ଷ୍ଟେସନ ଅନ୍ତର୍ଗତ ରସିଦପୁରା ଅଂଚଳର ନିବାସୀ ଅଟନ୍ତି ହାସିନା ବେଗମ । ସେ ଉତ୍ତର ପ୍ରଦେଶର ଶାହାରାନପୁର ନିବାସୀ ଦିଲଶାଦ ଅହମଦଙ୍କୁ ବିବାହ କରିଥିଲେ । 

By amfnews

Related Post