ରାଉରକେଲା, ୩୧ା୧୦ : ଜନସଚେତନତା ଉଦ୍ଦେଶ୍ୟରେ ଆମ୍ ଆଦ୍ମୀ ପାର୍ଟି ତରଫରୁ ରାଉରକେଲାର ସମସ୍ତ ବସ୍ତିବାସିନ୍ଦାଙ୍କୁ ପଟ୍ଟା-ପର୍ଚ୍ଚା ସହ ଜମି ପ୍ରଦାନ, ଶ୍ରମିକଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୫୧୩ ଟଙ୍କା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ମାସିକ ୨୫ ହଜାର ଟଙ୍କା, ଦିଲ୍ଲୀ ଭଳି ଓଡ଼ିଶାରେ ବିଜୁଳି ଦର ଅଧା କରିବା, ରାଉରକେଲା ସରକାରୀ ଚିକିତ୍ସାଳୟରେ ସମସ୍ତ ପ୍ରକାର ଔଷଧ ଉପଲବ୍ଧ, ରାଉରକେଲା ସରକାରୀ ଚିକିତ୍ସାଳୟକୁ ଘରୋଇ ଚିକିତ୍ସାଳୟମାନଙ୍କ ଠାରୁ ଉନ୍ନତମାନର ଓ ମାଗଣା ସେବା ପ୍ରଦାନ କରିବା, ସରକାରୀ ବିଦ୍ୟାଳୟଗୁଡ଼ିକୁ ଘରୋଇ ସ୍କୁଲମାନଙ୍କ ଠାରୁ ଉନ୍ନତମାନର କରିବା, ସମସ୍ତ ଯୁବକଙ୍କୁ ରୋଜଗାର ପ୍ରଦାନ ଇତ୍ୟାଦି ଦାବିରେ ରାଉରକେଲା ଶୀତଲପଡ଼ା ଅଞ୍ଚଳରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ପାର୍ଟିର ରାଜ୍ୟ ସମ୍ପାଦକ ବିନୟ ତିୱାରୀ ତଥା ରଘୁନାଥପଲ୍ଲୀ ବିଧାନସଭା ମଣ୍ଡଳୀ ଆବାହକ ନବୀନ ବାଙ୍କରା ଉପସ୍ଥିତ ରହି ବସ୍ତିବାସୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ରାଉରକେଲାର ସମସ୍ତ ବସ୍ତିବାସିନ୍ଦାଙ୍କୁ ପକ୍କାଘର କିମ୍ବା ପର୍ଚ୍ଚା-ପଟ୍ଟା ଜମି ପ୍ରଦାନ ପାଇଁ ଆମ୍ ଆଦ୍ମୀ ପାର୍ଟି ତରଫରୁ ଦାବି କରାଯିବା ପରେ ଓଡ଼ିଶା ସରକାରଙ୍କ ତରଫରୁ ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ଭୁମି ଅଧିକାର ଦେବା ପାଇଁ ଘୋଷଣା କରାଯାଇଛି କିନ୍ତୁ ବସ୍ତିବାସିନ୍ଦାଙ୍କୁ ଏହି ସୁବିଧା କେବେ ମିଳିବ ତାହା ସ୍ପଷ୍ଟ କରାଯାଇ ନ ଥିବାରୁ ବିଜେଡି ସରକାର ସାଧାରଣ ଓ ନିରିହ ବସ୍ତିବାସିନ୍ଦାଙ୍କୁ ଭୂୟାଁ ବୁଲାଉଛି ବୋଲି ବୈଠକରେ ଶ୍ରୀ ତିୱାରୀ କ୍ଷୋଭ ପ୍ରକାଶ କରିଥିଲେ ତଥା ଲୋକଙ୍କୁ ସଚେତନ ହେବାକୁ ଅନୁରୋଧ କରିଥିଲେ ।
ରାଉରକେଲାର ସମସ୍ତ ବସ୍ତିବାସୀନ୍ଦାଙ୍କୁ ପଟ୍ଟା-ପର୍ଚ୍ଚା ଜମି ନ ମିଳିବା ପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟିର ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ବାଙ୍କରା ବୈଠକରେ ଘୋଷଣା କରିଥିଲେ ଏବଂ ଆନ୍ଦୋଳନରେ ସାମିଲ ହୋଇ ସମସ୍ତ ବସ୍ତିବାସୀନ୍ଦାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆବେଦନ ଫର୍ମ ଭରିବାକୁ ଆହ୍ୱାନ କରିଥିଲେ । ବୈଠକରେ ସୁମିତ୍ରା ମାଝିଙ୍କ ନେତୃତ୍ୱରେ ସୁଶାନ୍ତ ନାଗ, ଭାରତୀ ପାଣିଗ୍ରାହୀ, ଶାନ୍ତି କୁଜୁର, ମାୟା ଚୌହାନ, ସବିତା ସିଂ ଓ ସୁମିତ୍ରା ବଡାଇକଙ୍କ ସମେତ ବହୁ ସଂଖ୍ୟାରେ ନୁତନ କର୍ମକର୍ତ୍ତାମାନେ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ । ଶ୍ରୀ ତିୱାରୀ ନୁତନ ଭାବରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତାମାନଙ୍କୁ ଆମ୍ ଆଦମୀ ପାର୍ଟି ତରଫରୁ ସ୍ୱାଗତ ଜଣାଇଥିଲେ ।