Mon. Apr 21st, 2025

ପରୀକ୍ଷା ସିଜିନରେ ଯାତ୍ରା ଅନୁଷ୍ଠିତ ହେବା ନେଇ କଟକଣା : ପୂର୍ବ ନିଷ୍ପତ୍ତିକୁ କୋହଳ କଲା ଗୃହ ବିଭାଗ

By amfnews Jan 25, 2019 #Featured
155 Views

ଭୁବନେଶ୍ବର , ଜାନୁଆରୀ ୨୫ : ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷା ସିଜିନରେ ଅପେରା ପାର୍ଟି ବା ଯାତ୍ରା ଅନୁଷ୍ଠିତ ହୋଇପାରିବନି ବୋଲି ପୂର୍ବରୁ ଗୃହ ବିଭାଗ ଦେଇଥିବା ନିଷ୍ପତ୍ତି ବଦଳାଇଛି । ଏଣିକି ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ଅନୁଯାୟୀ ଯାତ୍ରା ପେଣ୍ଡାଲ ଓ ପ୍ରଚାର ପାଇଁ ଶବ୍ଦର ପରିମାଣ ୬୫ ଡେସିବଲରୁ ଅଧିକ ହେବନାହିଁ । ଏ ନେଇ ଆବଶ୍ୟକ ସର୍ତ୍ତ ପୂରଣ କରିବା ଅନୁମତି ଦେବାକୁ ଜିଲ୍ଲାପାଳ ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ସାନି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଳା ।

ପ୍ରକାଶଥାଉକି, ପ୍ରତିବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ସମୟରେ ଯାତ୍ରା ପାର୍ଟି ଦ୍ବାରା ପ୍ରଚଣ୍ଡ ବିକଟାଳ ଶବ୍ଦ କରି ପ୍ରଚାର ଓ ନାଟକ ମଞ୍ଚସ୍ଥ ହେବାବେଳେ ଅତ୍ୟଧିକ ଶବ୍ଦ ଯୋଗୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ଅସୁବିଧା ସମ୍ମୁଖୀନ ହେବା ନେଇ ଅକ୍ଷୟ ପଟ୍ଟନାୟକଙ୍କ ନାମକ ଜଣେ ବ୍ୟକ୍ତି ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଗତ ୧୮ ତାରିଖରେ ପରୀକ୍ଷା ସମୟରେ ଯାତ୍ରା ଅନୁଷ୍ଠିତ କରିବାକୁ ଅନୁମତି ନଦେବାକୁ ପୋଲିସ ମହାନିର୍ଦ୍ଦେଶକ, ପୋଲିସ କମିସନର, ଜିଲ୍ଲାପାଳ, ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ବିରୋଧ କରିଥିଲା ଯାତ୍ରା ମାଲିକ ମହାସଂଘ । ଗୁରୁବାର ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯାତ୍ରା ପାଇଁଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଥିଲା ।

By amfnews

Related Post