ଭୁବନେଶ୍ୱର, ଡିସେମ୍ବର ୨୩ : ନୟାଗଡ଼ ଜିଲ୍ଲା ସଦର ଥାନା ଅଧୀନ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀଙ୍କ ଘର ପଛପଟ ଥିବା ପୋଖରୀରୁ ମଙ୍ଗଳବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଏସଆଇଟିକୁ ଏକ ଲେଗିଙ୍ଗସ ମିଳିଛି । ମେସିନ ସାହାଯ୍ୟରେ ପୋଖରୀରୁ ଜଳ ନିଷ୍କାସନ ପାଇଁ ଦୀର୍ଘ ୧୬ ଘଣ୍ଟା ଲାଗିଥିଲା । ଏହି ଜଳ ନିଷ୍କାସନ କାମରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ସହଯୋଗ କରିଥିଲେ । ପୋଖରୀରୁ ଲେଗିଙ୍ଗ୍ସ ମିଳିବା ପରେ କ୍ରାଇମବ୍ରାଞ୍ଚ ଆଗାମୀ ଦିନରେ ଆହୁରି ନୂଆ ତଥ୍ୟ ବାହାର କରିବାକୁ ଉଦ୍ୟମ କରିବ ବୋଲି ଆଶା କରାଯାଉଛି । ଏନେଇ କ୍ରାଇମବ୍ରାଞ୍ଚ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଅଭିଯୁକ୍ତ ସରୋଜ ସେଠୀ ନାବାଳିକାକୁ ହତ୍ୟା କରିବା ପରେ ପୋଖରୀକୁ ଫିଙ୍ଗି ଦେଇଥିଲା ।
ସୂଚନାଯୋଗ୍ୟ, ପରୀ ହତ୍ୟାକାଣ୍ଡର ଅଧିକ ପ୍ରମାଣ ହାସଲ କରିବା ପାଇଁ କ୍ରାଇମବ୍ରାଞ୍ଚ ପୋଖରୀରୁ ଜଳ ନିଷ୍କାସନ କରିଥିଲା । ଏଥି ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମଙ୍କୁ ନିୟୋଜିତ କରିଥିଲା । ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଗତ ଜୁଲାଇ ୧୪ ତାରିଖରେ ପରୀ ନିଖୋଜ ହୋଇଥିଲା । ଏବଂ ୯ ଦିନ ପରେ ମୃତଦେହ ମିଳିଥିଲା । ଗତ ୨୪ ତାରିଖରେ ପରୀର ବାପା-ମା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ଘଟଣା ପରଠାରୁ ଏହି ମାମଲା ରାଜ୍ୟରେ ଚର୍ଚ୍ଚା ଜୋରଦାର ଧରିଥିଲା ।