ଭୁବନେଶ୍ବର, ନଭେମ୍ବର ୨୫ : ରାଜ୍ୟରେ ପରିବେଶ ପର୍ଯ୍ୟଟନ ତିନି ବର୍ଷ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ଦ୍ବାରା ବେଶ୍ ଆଦୃତ ହୋଇଛି। ୩୭ଟି ପରିବେଶ ପର୍ଯ୍ୟଟନସ୍ଥଳୀରେ ଏବେ ପର୍ଯ୍ୟଟକ ରହିବାର ବ୍ୟବସ୍ଥା ଥିବାବେଳେ ଏଠାରେ ପର୍ଯ୍ୟଟକଙ୍କ ଆଗମନ ଏବଂ ରାଜସ୍ବ ଆଦାୟ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ଏପରିକି ରାଜ୍ୟରେ ପରିବେଶ ପର୍ଯ୍ୟଟନର ଉନ୍ନତି ପାଇଁ ୩୪କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଗତ ତିନିବର୍ଷରେ ୪କୋଟି ଟଙ୍କା ରାଜସ୍ବ ଆଦାୟ ହେଲାଣି ବୋଲି ଜଣାପଡ଼ିଛି।
ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ପରିବେଶ ପର୍ଯ୍ୟଟନ ବୋର୍ଡ ବୈଠକରୁ ଜଣାପଡ଼ିଛି ଯେ, ଓଡ଼ିଶାର ପରିବେଶ ପର୍ଯ୍ୟଟନ ପ୍ରତି ୧୦୩ଟି ଦେଶର ପ୍ରକୃତିପ୍ରେମୀ ଅଧିକ ଆଗ୍ରହ ଦେଖାଉଛନ୍ତି। ସେମାନେ ରାଜ୍ୟ ସରକାରଙ୍କ www.ecotourodisha.com ରେ ସର୍ଚ୍ଚ କରୁଛନ୍ତି। ଏଥିରେ କିନ୍ତୁ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ୟୁଏଇ, ଜର୍ମାନି, କାନଡା, ସିଙ୍ଗାପୁର, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ଚୀନ୍, ଜାପାନ, ସ୍ବେଡେନ୍, ସାଉଦି ଆରବ, ଇଟାଲି, ହଂକଂ, ଫିଲିପାଇନ୍ସର ପ୍ରକୃତିପ୍ରେମୀ ଅଧିକ ଆଗ୍ରହ ଦେଖାଉଛନ୍ତି। ସବୁଠୁ ଅଧିକ ପସନ୍ଦିତ ସ୍ଥାନ ଭାବେ ଡାଙ୍ଗମାଳ, ଦେବ୍ରିଗଡ଼, ସାତକୋଶିଆ ସ୍ୟାଣ୍ଡ, ଛୋଟକେଇ ନେଚର୍ କ୍ୟାମ୍ପ, କୁମାରି ନେଚର୍ କ୍ୟାମ୍ପ, ଟିକରପଡ଼ା, ଜମୁନାଇ, ନୂଆନଈ, ଦାରିଙ୍ଗବାଡ଼ି ନେଚର୍ କ୍ୟାମ୍ପ ଅଧିକ ପର୍ଯ୍ୟଟକଙ୍କୁ ବିଦେଶୀ ପର୍ଯ୍ୟଟକଙ୍କ ସହ ଘରୋଇ ପର୍ଯ୍ୟଟକ ବି ଅଧିକ ଆଗ୍ରହ ଦେଖାଉଥିବାରୁ ବିଭିନ୍ନ ରାଜ୍ୟରେ ୭୨ଟି ବୁକିଂ କେନ୍ଦ୍ର କରାଯାଇଛି ବୋଲି ପିସିସିଏଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି।
ପରିବେଶ ପର୍ଯ୍ୟଟନ ଯେପରି ଅଧିକରୁ ଅଧିକ ଆଦୃତ ହେବ ସେଥିପାଇଁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ସୁଦୃଢ କରାଯିବ। ଏଥିପାଇଁ ଆବଶ୍ୟକୀୟ ଜମି ଚିହ୍ନଟ କରି ପ୍ରସ୍ତାବ ଦେବାକୁ ପର୍ଯ୍ୟଟନ ବିଭାଗକୁ କୁହାଯାଇଛି। ଏହାସହ ଘରୋଇ ସହଭାଗିତାରେ ପରିବେଶ ପର୍ଯ୍ୟଟକୁ ଉନ୍ନତିକରଣ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ୍ କରି ସେମାନଙ୍କ ପାଇଁ ବିକଳ୍ପ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ କୁହାଯାଇଛି।