Sat. Mar 7th, 2026

ପରିବା ତୋଳୁଥିବା ବେଳେ ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ହାତୀ

152 Views

ଢେଙ୍କାନାଳ : ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ରେଞ୍ଜ୍ ବନାଞ୍ଚଳରେ ଜଣେ ମହିଳାଙ୍କୁ ହାତୀ ନିଜ ଶୁଣ୍ଢରେ କଚାଡ଼ି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ରେଞ୍ଜ୍ ବନାଞ୍ଚଳରେ ଚାଉଳିଆ ଗାଁର ବିନତି ଷେଣ୍ଢ ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ବେଳେ ଯୋରନ୍ଦା ନାଳ ନିକଟରେ ଥିବା ତାଙ୍କ କ୍ଷେତକୁ ଯାଇଥିଲେ। ସେ ପରିବା ତୋଳିବାକୁ ଯାଇଥିଲେ। ପରିବା ତୋଳି ଘରକୁ ଆଣିବେ ଏବଂ ତାଙ୍କୁ ବିକିବେ ବୋଲି ବିନତି ସ୍ଥିର କରିଥିଲେ। ସେ ଅନ୍ୟ ଦିନ ଭଳି ଆଜି କ୍ଷେତକୁ ଯାଇଥିଲେ ହେଲେ ଏକ ଅଘଟଣର ଶିକାର ହୋଇଥିଲେ। ସେ ପରିବା ତୋଳୁଥିବା ବେଳେ ହଠାତ୍ ଏକ ହାତୀ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା।

ବିନତି ପ୍ରାଣ ବିକଳରେ ଦୌଡ଼ୁଥିବା ବେଳେ ହାତୀଟି ତାଙ୍କୁ ନିଜ ଶୁଣ୍ଢରେ କଚାଡ଼ି ଦେଇ ଚାଲି ଯାଇଥିଲା। ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟ ଚାଷୀମାନେ ଘଟଣାସ୍ଥଳରୁ ବିନତିଙ୍କୁ ଉଦ୍ଧାର କରିଥିଲେ। ସେମାନେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ସେଠାରେ ବିନତି ଚିକିତ୍ସିତ ହେଉଥିବା ବେଳେ ଏଯାବତ୍ ସଦର ରେଞ୍ଜ୍ ବନାଞ୍ଚଳର କର୍ମଚାରୀ କିନ୍ତୁ ଘଟଣାସ୍ଥଳରେ ପହଞ୍ଚି ନଥିବା କୁହାଯାଉଛି। ବିନତିଙ୍କର ଘର ଚାଉଳିଆ ଖମାର ଗାଁରେ ଏବଂ ତାଙ୍କର ବୟସ ୪୨ ବର୍ଷ ବୋଲି ଜଣାଯାଇଛି। ସେ ଶରତ ଷେଣ୍ଢଙ୍କର ସ୍ତ୍ରୀ ବୋଲି ମଧ୍ୟ ଜଣାଯାଇଛି।

By amfnews

Related Post