Mon. Feb 24th, 2025

ପରିବା କିଣିବାକୁ ୩୦ ଟଙ୍କା ମାଗିବାରୁ ରାଗରେ ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେଲେ ସ୍ୱାମୀ

By amfnews Jul 1, 2019 #Featured
133 Views

ଗ୍ରେଟର୍‌ ନଇଡ଼ା : ୩୦ ଟଙ୍କା ପାଇଁ ଯୁକ୍ତିତର୍କ କରି ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେଇ ଥିବା ଦାଦ୍ରିର ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ସେ ମହିଳାଙ୍କ କହିବା ଅନୁସାରେ, ପରିବା କିଣିବା ପାଇଁ ୩୦ ଟଙ୍କା ମାଗିବାର ସ୍ୱାମୀ ରାଗିଯାଇ ତାଙ୍କୁ ମାଡ଼ ଦେବା ସହ ଛାଡ଼ପତ୍ର ଦେଇଛନ୍ତି।

ଘଟଣାଟି ଘଟିଛି ଜୁନ୍‌ ୨୯ ତାରିଖ ଦିନ। ୩୦ ବର୍ଷୀୟ ଜୈନାବ ଓ ୩୫ ବର୍ଷିୟ ସବିର ସେମାନଙ୍କ ତିନି ଝିଅ ଓ ଗୋଟିଏ ପୁଅଙ୍କ ସହ ଦାଦ୍ରି ଅନ୍ତର୍ଗତ ନଇ ଆବାଦି ମୋହଲ୍ଲାରେ ରହନ୍ତି। ଅଭିଯୋଗରେ ଜୈନାବ ଦର୍ଶାଇଛନ୍ତି କି, ସେ ସ୍ୱାମୀ ଓ ଶାଶୂଘର ଲୋକ ତାଙ୍କୁ ନିର୍ଯାତନା ଦିଅନ୍ତି।

ଶନିବାର ସନ୍ଧ୍ୟାରେ ସ୍ୱାମୀ ସବିର, ଦିଅର ଜାକିର ଏବଂ ଇଦ୍ରିସ୍‌, ନଣନ୍ଦ ସମା ଏବଂ ଶାଶୂ ନାଜ୍ଜୋ ମୋତେ ମାରଧର କରିଥିଲେ। ଖଣ୍ଡେ ତାରରେ ସେମାନେ ମୋତେ ବିଜୁଳି ଆଘାତ ମଧ୍ୟ ଦେଇଛନ୍ତି। ସ୍ୱାମୀ ତିନ୍‌ ତଲାକ୍‌ ଦେଇ ମୁହଁରେ ଛେପ ପକାଇ ମତେ ଘରୁ ତଡ଼ି ଦେଲେ।
ଜୈନାବଙ୍କ ଠାରୁ ଖବର ପାଇ ତାଙ୍କ ବାପଘର ଲୋକେ ଆସି ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାକୁ ନେବା ପରେ ଥାନାରେ ଅଭିଯୋଗ କରିଥିଲେ। ସବିର ଓ ତାଙ୍କ ପରିବାରର ୪ ଜଣଙ୍କ ନାମରେ ଦାଦ୍ରି ଥାନାରେ ମାମଲା ରୁଜୁ କରାଯାଇଛି। ସବିରଙ୍କୁ ଗିରଫ କରି ଦାଦ୍ରି ସିଟି ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରିବା ପରେ ଜୁନ୍‌ ୩୦ ତାରିଖ ଦିନ ସେ ଜାମିନ୍‌ରେ ଆସିଛନ୍ତି। ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଫେରାର ହୋଇ ଯାଇଛନ୍ତି।

By amfnews

Related Post