Sun. Mar 8th, 2026

ପରାଜୟ ସ୍ୱୀକାର କଲା କଂଗ୍ରେସ, ଆପକୁ ଶୁଭେଚ୍ଛା

196 Views

ନୂଆଦିଲ୍ଲୀ: ୨୦୧୫ ଭଳି ୨୦୨୦ରେ ବି ଦିଲ୍ଲୀରେ ଗୋଟିଏ ହେଲେ ଆସନ କଂଗ୍ରେସ ଜିତି ପାରିବ ନାହିଁ ବୋଲି ଭୋଟ ଗଣତି ଟ୍ରେଣ୍ଡରୁ ସ୍ପଷ୍ଟ ହେବାରେ ଲାଗିଛି। ଟ୍ରେଣ୍ଡ ଅନୁଯାୟୀ, ଆପ ୫୮ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ମାତ୍ର ୧୨ଟି ଆସନରେ ଲିଡ୍‌ କରୁଛି। ତେବେ କଂଗ୍ରେସ ଗୋଟିଏ ହେଲେ ଆସନରେ ଅଗ୍ରଣୀ ହାସଲ କରିପାରି ନାହିଁ।

ଏସବୁ ଭିତରେ କଂଗ୍ରେସ ଆଗୁଆ ନିଜର ପରାଜୟ ସ୍ୱୀକାର କରିଛି ଓ ତୃତୀୟ ଥର କ୍ଷମତା ଦଖଲ କରିବାକୁ ଯାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆପକୁ ଶୁଭେଚ୍ଛା ଜଣାଇଛି। ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଥିବା ଅଧୀର ରଞ୍ଜନ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ “ କଂଗ୍ରେସ ପାଇଁ ଦିଲ୍ଲୀରେ କିଛି ବି ନାହିଁ। ବିକାଶର ଏଜେଣ୍ଡା ଶେଷରେ ଦିଲ୍ଲୀରେ ଜିତିଛି। ମୁଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଉଛି। ଦିଲ୍ଲୀ ନିର୍ବାଚନ ବାଇପୋଲାର ହୋଇଛି ଏବଂ ଏଠାରେ କଂଗ୍ରେସ ପାଇଁ କିଛି ବି ନାହିଁ।”

ଅନ୍ୟପକ୍ଷରେ ଦିଲ୍ଲୀ ଫଳାଫଳକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅନ୍ତର୍ଘାତୀ କାମ ପାଇଁ ଦିଲ୍ଲୀରେ କଂଗ୍ରେସ ହାରିଛି ଓ ଦଳୀୟ ହାଇକମାଣ୍ଡ ପୁଣିଥରେ ଶିକ୍ଷା ଲାଭ କରିବେ ବୋଲି ଅନେକ କଂଗ୍ରେସ କର୍ମୀ ମତଦେଇଛନ୍ତି। କଂଗ୍ରେସ ସାଂସଦ ପ୍ରତାପ ବାଜୱା କହିଛନ୍ତି, କଂଗ୍ରେସ ନେତା ନିଜ ନିଜ ମଧ୍ୟରେ ଲଢ଼ୁଛନ୍ତି। ଫଳରେ ଦଳକୁ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି। ଆପର ବିଜୟ କଂଗ୍ରେସ ପାଇଁ ସତର୍କ ଘଣ୍ଟି। ଆଶା କଂଗ୍ରେସର ବରିଷ୍ଠ ନେତାମାନେ ଏଥିରୁ କିଛି ଶିଖିବେ।

By amfnews

Related Post