Sun. Mar 8th, 2026

ପଞ୍ଚକୁଲା ମାମଲା: ହନିପ୍ରୀତଙ୍କ ଜାମିନ ଆବେଦନ, ଶୁଣାଣିରୁ ଓହରିଲେ ଜଜ୍‌

229 Views

ଚଣ୍ଡିଗଡ଼: ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କ ପାଳିତା କନ୍ୟା ହନିପ୍ରୀତ ଓରଫ ପ୍ରିୟଙ୍କା ତନେଜା ଜାମିନ୍‌ ଆବେଦନ କରିଛନ୍ତି। ଗୁରମିତ ରାମ ରହିମ ପଞ୍ଚକୁଲା କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହା ପଛରେ ହନିପ୍ରୀତଙ୍କ ହାତ ଥିବାରୁ ତାଙ୍କୁ ପୁଲିସ୍‌ ଗିରଫ କରିଛି।

ତେବେ ସେ ଜାମିନ୍‌ ପାଇଁ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଆବେଦନ କରିଛନ୍ତି। ହନିପ୍ରୀତଙ୍କ ମାମଲାର ଶୁଣାଣି କରିବାକୁ ଥିବା ଜଣେ ବିଚାରପତି ଏଥିରୁ ଓହରି ଯିବାରୁ, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ହନିପ୍ରୀତଙ୍କ ଜାମିନ ଆବେଦନର ଶୁଣାଣି ଜଷ୍ଟିସ୍‌ ସୁରିନ୍ଦର ଗୁପ୍ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ହେବାର ଥିଲା। କିନ୍ତୁ ଏହାର ଶୁଣାଣିରୁ ସେ ଓହରି ଯିବା ସହ ମୁଖ୍ୟ ବିଚାରପତିଙ୍କୁ ନୂଆ ବେଞ୍ଚରେ ଏହାର ବିଚାର କରିବାକୁ ନିବେଦନ କରିଛନ୍ତି। ହନିପ୍ରୀତ ତାଙ୍କ ଜାମିନ ଆବେଦନରେ ନିଜକୁ ନିର୍ଦ୍ଦୋଷ ଏବଂ ପୁଲିସ୍‌ ତାଙ୍କୁ ପଞ୍ଚକୁଲା ଦଙ୍ଗା ଘଟଣାରେ ଫସାଇ ଦେଇଥିବା କହିଛନ୍ତି।

୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ ଅଦାଲତ ଗୁରମିତଙ୍କୁ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ତୀବ୍ର ଉତ୍ତେଜନା ଓ ଜଳାପୋଡ଼ା ହୋଇଥିଲା। ଏଥିରେ ୩୫ ଜଣଙ୍କ ଜୀବନ ଯାଇଥିଲା।

By amfnews

Related Post