Thu. Dec 26th, 2024

ନେତା ଥିଲେ ଡାକ୍ତର ହେଲେ, ରୋଗୀଙ୍କୁ ଚିକିତ୍ସା କଲେ ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ

By amfnews Oct 2, 2019 #Featured
97 Views

ସୁନ୍ଦରଗଡ: ନୂଆ ଲୁକରେ ଭେଟରାନ କଂଗ୍ରେସ ନେତା ତଥା ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ । ଡା.ପ୍ରଫୁଲ ମାଝୀ କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ନୁହେଁ ସାରା ଓଡିଶା ପାଇଁ ଏକ ପରିଚିତ ନାମ । କଂଗ୍ରେସର ଅଭ୍ୟେଦ ଗଡ ବୋଲାଉଥିବା ତଳସରା ନିର୍ବାଚନ ମଣ୍ଡଳୀର ତିନି ତିନିଥରର ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ହେଉକି ରାଜ୍ୟର କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ସେ ସମୟରେ ବିଧାନସଭାରେ ହୁଲୁସ୍ତୁଲ କରୁଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ପୁଣି ପୂର୍ବ ପେସାକୁ ଫେରିଛନ୍ତି ପ୍ରଫୁଲ ।

ସୁନ୍ଦରଗଡ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମଏଫ) ତରଫରୁ ଚୁକ୍ତି ଭିତ୍ତିକ ଡାକ୍ତର ନିଯୁକ୍ତି କରୁଥିବା ଜାଣିବା ପରେ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ ପୁଣି ନିଜ ପେଶାକୁ ଆପଣାଇ ନେଇଛନ୍ତି । ଦିନ ଥିଲା ଲୋକଙ୍କ ଦାବି ନେଇ ବିଧାନସଭାରେ ଉପସ୍ଥାପନ କରୁଥିଲେ । ଆଜି ପଦବୀ ନାହିଁ, ହେଲେ ଜାରି ରହିଛି ଜନତାଙ୍କ ସେବା । ଡାକ୍ତର ଭାବେ ନିଜ ଅଞ୍ଚଳର ରୋଗୀଙ୍କୁ ସେବା ଯୋଗାଇବା ପାଇଁ ପୁଣି ଆସିଛନ୍ତି । ନିଯୁକ୍ତି ପାଇବା ପରେ ତଳସରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ମେଡିକାଲ ଅଫିସର ଭାବରେ ଯୋଗଦାନ କରିବା ସହ ରୋଗୀ ସେବା ଆରମ୍ଭ କରିଛନ୍ତି ।

ତଳସରା ଅଞ୍ଚଳରେ ଡାକ୍ତର ନଥିଲେ । ଲୋକଙ୍କ ଅସୁବିଧାକୁ ଅନୁଭବ କରି ପୁଣି ଡାକ୍ତରଖାନା ଫେରିଛନ୍ତି । ପ୍ରତି ସପ୍ତାହରେ ୫ ଦିନ ଆସିବା ସହ ଦିନକୁ ୪ ଘଣ୍ଟା କାମ କରୁଛନ୍ତି । ଅନ୍ୟପଟେ ଆବଶ୍ୟକ ହେଲେ ଆଠ ଘଣ୍ଟା ସମୟ ଦେବି ବୋଲି ସେ କହିଛନ୍ତି । ତେବେ ନୂଆ ଡାକ୍ତରଙ୍କୁ ପାଇ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି । ପୂର୍ବତନ ବିଧାୟକ ହୋଇଥିବାରୁ ସେ ଅଧିକ ସମୟ ମେଡିକାଲ ପାଇଁ ଦେଇ ରୋଗୀ ସେବା କରିବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶା ରଖିଛନ୍ତି |

By amfnews

Related Post