ଦଳରେ ଚାଲିଥିବା କନ୍ଦଳକୁ ମୁକାବିଲା କରି ଟିମ ଘୋଷଣା କରିବାରେ ବିଫଳ ହୋଇଛନ୍ତି ନୂଆ ମୁଖିଆ । ସାହାର ପାଇଁ ଆଜି ଦଳର ମୁଖିଆ ରାହୁଲ ଗାନ୍ଧୀଙ୍କ ନିକଟରେ ଫେରାଦ ହେବେ ନିରଞ୍ଜନ । ରାହୁଲଙ୍କୁ ସାକ୍ଷାତ କରିବା ପରେ ସେ ତାଙ୍କ ନୂଆ ଟିମ ଗଠନ କରିବେ ବୋଲି ଏବେ କଂଗ୍ରେସ ମହଲରେ ଚର୍ଚ୍ଚା । ବିଶେଷ କରି ଜିଲା ସଭାପତି ଚୟନକୁ ନେଇ ଦଳରେ ଦେଖାଦେଇଥିବା ଅସନ୍ତୋଷ ଏହି ସାକ୍ଷାତ ପରେ ଦୂର ହେବ ବୋଲି ଚର୍ଚ୍ଚା ହେଉଛି ।
ନିରଞ୍ଜନ ଦାୟିତ୍ବ ନେବାପରେ ତାଙ୍କ ଶିବିରର ଖାସ କୁହାଯାଉଥିବା ପ୍ରକାଶ ବେହେରା ଜିଲା ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ । ସେହିପରି ଯାଜପୁର ଜିଲାରେ ସଭାପତି ପଦବୀ ଚୟନକୁ ଅଖୁସି ହୋଇ ବିଶ୍ବାଳ ପରିବାରର ସଦସ୍ୟ କୁହାଯାଉଥିବା ଜନ୍ମେଜୟ ଲେଙ୍କା ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ । ଜଣଙ୍କ ପରେ ଜଣେ ନେତା ଏପରି ନିଷ୍ପତ୍ତି ନେବାରୁ ପିସିସି ମୁଖିଆ ନୂଆ ଟିମ ଘୋଷଣା କରିପାରିନାହାନ୍ତି । ସେପଟେ ଜଣେ ବ୍ୟକ୍ତି ଗୋଟିଏ ପଦବୀରେ ରହିବା ନିୟମ ଏବେ ଦଳ ପାଇଁ ଅଡୁଆ ବଢାଇବାରେ ଲାଗିଛି । ଏହି କ୍ରମରେ କେନ୍ଦ୍ରାପଡା ଜିଲା ସଭାପତି ରହିଥିବା ଆଳିର ବିଧାୟକ ଦେବେନ୍ଦ୍ର ଶର୍ମା ଓ କନ୍ଧମାଳ ଜିଲା ସଭାପତି ଜ୍ୟାକବ ପ୍ରଧାନ ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ ଓ କୈଳାସ କୁଲେସିକା ମଧ୍ୟ ପିସିସିର ସାଙ୍ଗଠନିକ ପଦବୀ ସହ ଛାମୁଆଁ ସଙ୍ଗଠନର ଦାୟିତ୍ବରେ ରହିଛନ୍ତି । ତେଣୁ କାହାକୁ କାଢିବେ କାହାକୁ ରଖିବେ ଏହାକୁ ନେଇ ଏବେ ଦଳ ପାଇଁ ଚିନ୍ତାରେ ବଢିଛି ।
ସେହିପରି ପିସିସି ସଭାପତି ଭାବେ ଥିବା ସମୟରେ ପ୍ରସାଦ ହରିଚନ୍ଦନ ଯେଉଁ ଜୁମ୍ବୋ ଟିମ ଗଠନ କରିଥିଲେ ତାହାକୁ ପରିବର୍ତନ କରି ଏକ ଛୋଟ ଚିମ ଗଠନ କରିବା ପାଇଁ ଏବେ ଦଳୀୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କ୍ରମରେ ମହିଳା କଂଗ୍ରେସର ସଭାନେତ୍ରୀ, ଯୁବ କଂଗ୍ରେସ ସଭାପତି , ମୁଖପାତ୍ର, ସାଧାରଣ ସମ୍ପାଦକ, ଉପସଭାପତି , ସେବାଦଳ ଠାରୁ ଆରମ୍ଭ କରି ସବୁ ସ୍ତରରେ ଏକ ବଡ ପରିବର୍ତନ କରିବା ପାଇଁ ତାଲିକା ପ୍ରସ୍ତୁତ ସରିଛି । ଘୋଷଣା ହେଲେ କାଳେ ଦଳରେ ବିଦ୍ରୋହ ହେବ ଏଥିପାଇଁ ରାଜ୍ୟ ମୁଖିଆ ତାହା ପୂର୍ବରୁ ହାଇକମାଣ୍ଡଙ୍କ ଶରଣରେ ପସିବା ପାଇଁ ସାକ୍ଷାତ କରୁଥିବା କଥା ସାଧାରଣରେ ଆଲୋଚନା ହେଉଛି । ନିରଞ୍ଜନଙ୍କ ସହ ତିନି କାର୍ଯ୍ୟକାରୀ ସଭାପତି ମହୋଦୟ ରାହୁଲଙ୍କ ପାଖରେ ପହଞ୍ଚିଛନ୍ତି ।