Mon. Apr 21st, 2025

ନୂଆ ଅବତାରରେ ଆସୁଛନ୍ତି ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍

By amfnews Feb 22, 2020 #Featured
134 Views

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ଏବେ ପରଦାକୁ ଆସୁଛନ୍ତି ଏକ ନୂଆ ରୂପରେ। ଖାଲି ସେତିକି ନୁହେଁ ସେ ସିକ୍ସ୍ ପ୍ୟାକ୍ ବଡ଼ିରେ ନଜର ଆସିବେ। ମୋଟାମୋଟିଭାବେ ଯାହା ଜଣାଯାଉଛି ତାଙ୍କୁ ଅନେକ ଦିନ ବ୍ୟବଧାନରେ ଆକସନ୍ ଅବତାରରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମର ପୋଷ୍ଟରରୁ ଜଣାଯାଉଛି ଯେ ସେ ତାଙ୍କର କମେଡି ଟ୍ରାକ୍ ଛାଡ଼ି ଏଥର ଆକସନ୍ ଅବତାରରେ ପରଦାରେ ଦେଖା ଦେବେ।

ଏଠାରେ ଯେଉଁ ନୂଆ ସିନେମାର କଥା କୁହାଯାଉଛି, ତାର ଟାଇଟଲ୍ ହେଲା ‘ବିଦ୍ୟାରାଣ’। ଏଥିରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ ଶିବାନୀ। ‘ସିଷ୍ଟର ଶ୍ରୀଦେବୀ’ ପରେ ଦ୍ବିତୀୟ ଥର ଲାଗି ପରଦାକୁ ଆସୁଛନ୍ତି ବାବୁସାନ୍-ଶିବାନୀ। ଏଥିରେ ବାବୁସାନ୍ ଓ ଶିବାନୀଙ୍କ ବ୍ୟତୀତ ମିହିର ଦାସ, ବବି ମିଶ୍ର ଏବଂ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ‘ତୋ’ ବିନା ଭଲ ଲାଗେନା’, ‘ଶୁଭବିବାହ’, ‘ଗୁଡ ବୟ’, ‘ଅଶୋକ ସମ୍ରାଟ’ ଏବଂ ‘ଇଶ୍କ ପୁଣି ଥରେ’ ଆଦି ସିନେମାର ନିର୍ଦେଶନା ଦେଇ ଜ୍ୟୋତି ଦାସ ଏହି ସିନେମାର ନିର୍ଦେଶକ। । ବାବୁସାନଙ୍କ ସହ ଏହା ଜ୍ୟୋତିଙ୍କର ପ୍ରଥମ ସିନେମା।

‘ବିଦ୍ୟାରାଣ’ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ ଏବଂ ପ୍ରଦୀପ୍ତ କିଶୋର ଆଚାର୍ଯ୍ୟ। ଆଗରୁ ନିରଞ୍ଜନ ନାୟକ ‘ହେଲୋ’ ଏବଂ ପ୍ରଦୀପ୍ତ କିଶୋର ଆଚାର୍ଯ୍ୟ ‘ପ୍ରେମ ପାଇଁ ମହାଭାରତ’ ସିନେମାର ପ୍ରଯୋଜନା କରିଥିଲେ। ବାପୁ ଗୋସ୍ବାମୀ ଏହାର ସଂଳାପ ଲେଖିଛନ୍ତି। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ଦ୍ବିତୀୟ ଥର ଲାଗି ବୈଦ୍ୟନାଥ ଦାଶ ବାବୁସାନଙ୍କ ଅଭିନୀତ ଏକ ସିନେମାର ସଙ୍ଗୀତ ସଂଯୋଜନା କରିବାର ସୁଯୋଗ ପାଇଛନ୍ତି। ଏହା ଆଗରୁ ସେ ବାବୁସାନଙ୍କ ଅଭିନୀତ ‘ଲୋକାଲ୍ ଟୋକା ଲଭ୍ ଚୋଖା’ରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ।

By amfnews

Related Post