Sat. Mar 7th, 2026

ନୀଳଗିରି: ରନ୍ଧନ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ: ବାପା, ମାଆ ଓ ପିଲା ଆହତ

222 Views

ନୀଳଗିରି: ଆଜି ସକାଳ ପ୍ରାୟ ୯ଟା ବେଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସିର ୮ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ଗୁଡ଼ିଖାଣିଆ ଗ୍ରାମରେ ରନ୍ଧନ ଗ୍ୟାସ୍‌ ଟାଙ୍କି ଫାଟି ନିଅାଁ ଚରି ଯିବାରୁ ଗୋଟିଏ ପରିବାରର ତିନି ଜଣ ଆହତ ହୋଇଛନ୍ତି।

ଗୁଡ଼ିଖାଣିଆ ନିବାସୀ ରବୀନ୍ଦ୍ର ବିନ୍ଧାଣୀଙ୍କ ପତ୍ନୀ ରୀନା ଏଲ୍‌ପିଜି ଗ୍ୟାସ୍‌ ଲଗାଇ ରୋଷେଇ କରୁଥିଲେ। କୌଣସି କାରଣରୁ ତାଙ୍କ ୬ ମାସର ଝିଅ କାନ୍ଦିବାରୁ ତାକୁ ବୋଧ କରିବାକୁ ରୋଷେଇ ଛାଡ଼ି ଉଠିଯାଇଥିଲେ। ଏତିକିବେଳେ କୌଣସି କାରଣରୁ ଏଲ୍‌ପିଜି ଟାଙ୍କି ଫାଟି ଯିବାରୁ ସେମାନଙ୍କ କୁଡ଼ିଆ ଘରେ ନିଅାଁ ଲାଗିଗଲା। ଫଳତଃ, ନିଅାଁ ଧାସରେ ଘର ଭିତରେ ଥିବା ରବୀନ୍ଦ୍ର, ତାଙ୍କ ସ୍ତ୍ରୀ ରୀନା ଏବଂ ଟିକି ଝିଅ ପ୍ରିୟା ଆହତ ହୋଇଥିଲେ।ଖବର ପାଇ ଦମକଳ ଲୋକେ ଘଟଣାସ୍ଥଳକୁ ଯାଇ ନିଅାଁ ଲିଭାଇବା ସହ ତିନି ଜଣଙ୍କୁ ଚିକିତ୍ସା ନିମନ୍ତେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେମାନେ ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

By amfnews

Related Post