Sat. Nov 23rd, 2024

ନୀତି ଆୟୋଗ ପରିଚାଳନା ପରିଷଦର ଚତୁର୍ଥ ବୈଠକ

By Naresh Kumar Jun 17, 2018 #Featured
228 Views

• ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକସଙ୍ଗେ କରିବା ପ୍ରସଙ୍ଗରେ ବ୍ୟାପକ ବିତର୍କ, ପରାମର୍ଶ ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ସାଂସ୍କୃତିକ କେନ୍ଦ୍ରଠାରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ ପରିଷଦର ଚତୁର୍ଥ ବୈଠକରେ ସମ୍ବୋଧନ କରିଛନ୍ତି । ମୁଖ୍ୟମନ୍ତ୍ରୀମାନଙ୍କ ଗଠନମୂଳକ ଆଲୋଚନା ଏବଂ ପରାମର୍ଶକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ଏବଂ ଉପସ୍ଥିତ ପ୍ରତିନିଧିମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଏସବୁ ପରାମର୍ଶଗୁଡ଼ିକ ବିଷୟରେ ଆଗାମୀ ଦିନରେ ନିଷ୍ପତି ନେବା ପ୍ରକ୍ରିୟାରେ ଗୁରୁତ୍ୱର ସହ ବିଚାର କରାଯିବ । ଆସନ୍ତା ତିନି ମାସ ମଧ୍ୟରେ ରାଜ୍ୟଗୁଡ଼ିକ ଦ୍ୱାରା ଦିଆଯାଇଥିବା ପରାମର୍ଶର କାର୍ଯ୍ୟକାରୀ ଦିଗ ପ୍ରତି ଧ୍ୟାନ ଦେବା ଲାଗି ସେ ନୀତି ଆୟୋଗକୁ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ ନୀତି ଆୟୋଗଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ୧୧୫ଟି ଅଭିଳାଷୀ ଜିଲ୍ଲା ଭଳି ରାଜ୍ୟଗୁଡ଼ିକ ନିଜସ୍ୱ ସ୍ତରରେ ମୋଟ ବ୍ଲକଗୁଡ଼ିକ ମଧ୍ୟରୁ ୨୦ ପ୍ରତିଶତ ବ୍ଲକକୁ ଅଭିଳାଷୀ ବ୍ଲକ ଭାବେ ଚିହ୍ନଟ କରି ନିଜସ୍ୱ ପରିମାପକ ଧାର୍ଯ୍ୟ କରିବା ଆବଶ୍ୟକ ।

ପରିବେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱାରା ଉତ୍ଥାପନ କରାଯାଇଥିବା ପ୍ରସଙ୍ଗ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁରାଜ୍ୟ ସେମାନଙ୍କ ସରକାରୀ କୋଠା, ସରକାରୀ କାର୍ଯ୍ୟାଳୟ ଏବଂ ଷ୍ଟ୍ରିଟ ଲାଇଟରେ ଏଲଇଡି ବଲ୍ବର ଉପଯୋଗ କରିବା ଉଚିତ । ଏହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ ।

ଜଳ ସଂରକ୍ଷଣ, କୃଷି, ମନରେଗା ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ପରାମର୍ଶର ସେ ପ୍ରଶଂସା କରିଥିଲେ ।
ଉଭୟ ଫସଲ ବୁଣିବା ଏବଂ କାଟିବା ପର୍ଯ୍ୟାୟ ସମେତ “କୃଷି ଏବଂ ମନରେଗା” ଆଦି ଦୁଇଟି ବିଷୟରେ ସମନ୍ୱିତ ନୀତି ଓ ଆଭିମୁଖ୍ୟ ଗ୍ରହଣ ସହିତ ଆବଶ୍ୟକ ସୁପାରିସ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେ ମଧ୍ୟପ୍ରଦେଶ, ବିହାର, ସିକିମ, ଗୁଜରାଟ, ଉତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଧାଡ଼ିର ସବା ଶେଷରେ ବସିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ସରକାରୀ ଯୋଜନାର ଲାଭ ସେମାନଙ୍କ ନିକଟରେ ପହଂଚିପାରିବ । ସେହିପରି ସେ କହିଥିଲେ ଯେ ସାମାଜିକ ନ୍ୟାୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଲକ୍ଷ୍ୟ । ସେ କହିଥିଲେ ଯେ ଏହି ଉଦାର ଲକ୍ଷ୍ୟ ହାସଲ ପାଇଁ ନିବିଡ଼ ସମନ୍ୱୟ ଏବଂ ନିରନ୍ତର ଅନୁଧ୍ୟାନର ଆବଶ୍ୟକତା ରହିଛି ।

ଅଗଷ୍ଟ ୧୫, ୨୦୧୮ ସୁଦ୍ଧା ୧୧୫ଟି ଅଭିଳାଷୀ ଜିଲ୍ଲାର ୪୫,୦୦୦ ଅତିରିକ୍ତ ଗ୍ରାମରେ ୭ଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ସାମଗ୍ରୀକ ପ୍ରସାର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ସେ ପ୍ରଶଂସା କରିଥିଲେ ।

କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶୀ ନୀତି ‘ସବକା ସାଥ, ସବ୍କା ବିକାଶ’ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ଆଉ କିଛି ଲୋକ କିମ୍ବା କିଛି ଅଂଚଳରେ ସୀମିତ ହୋଇ ରହିନାହିଁ । ଏହା ଏକ ସମାନ୍ତରାଳ ମାର୍ଗରେ ବିନା ବାଛବିଚାରରେ ପ୍ରତ୍ୟେକଙ୍କ ନିକଟରେ ପହଁଚିପାରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସବୁ ଗ୍ରାମକୁ ବର୍ତମାନ ବିଦ୍ୟୁତ ସଂଯୋଗ ହୋଇପାରିଛି ଏବଂ ସୌଭାଗ୍ୟ ଯୋଜନାରେ ୪ କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି । ସେ କହିଥିଲେ ଯେ ଗ୍ରାମୀଣ ପରିମଳ ପ୍ରସାର ପୂର୍ବରୁ ମାତ୍ର ୪୦ ପ୍ରତିଶତରୁ କମ ଥିବା ବେଳେ ଗତ ୪ ବର୍ଷ ମଧ୍ୟରେ ଏହା ୮୫ ପ୍ରତିଶତକୁ ବୃଦ୍ଧି ପାଇଛି । ସେ କହିଥିଲେ ଯେ ଜନଧନ ଯୋଜନା ସମ୍ପର୍କ କାର୍ଯ୍ୟକାରୀ ହେବା ପରେ ଦେଶର ସବୁ ନାଗରିକ ବ୍ୟାଙ୍କ ସହ ଯୋଡ଼ି ହୋଇଯିବେ । ସେହିପରି ସେ କହିଥିଲେ ଉଜ୍ଜ୍ୱଳା ଯୋଜନା ରୋଷେଇ ଗ୍ୟାସ ଯୋଗାଣ ଏବଂ ମିଶନ ଇନ୍ଦ୍ରଧନୁଷ ସାମୂହିକ ଟିକାକରଣରେ ସଫଳ ହୋଇଛି । ସେ କହିଥିଲେ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି ।

ଗରିବଙ୍କ କଲ୍ୟାଣ ପାଇଁ ଯୋଜନାର ୧୦୦ ପ୍ରତିଶତ କାର୍ଯ୍ୟକାରୀତା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀମାନେ ପ୍ରୟାସ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଲୋକମାନଙ୍କ ଜୀବନରେ ଅଭ୍ୟାସଗତ ପରିବର୍ତନ ଆଣିପାରିବ । ଏହି ପରିପ୍ରେକ୍ଷୀରେ ସେ ନିମ ପ୍ରଲେପିତ ୟୁରିଆ, ଉଜ୍ଜ୍ୱଳା ଯୋଜନା, ଜନଧନ ଏକାଉଂଟ ଏବଂ ରୂପେ ଡେବିଟ କାର୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଯୋଜନାଗୁଡ଼ିକ ଲୋକମାନଙ୍କ ଜୀବନରେ କିପରି ପରିବର୍ତନ ଆଣିଛି ତାହା ସେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଗତ ୪ ବର୍ଷ ମଧ୍ୟରେ ୭.୭୦ କୋଟି ଶୌଚାଳୟ ନିର୍ମାଣ କରାଯାଇଛି । ଅକ୍ଟୋବର ୨, ୨୦୧୯, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସୁଦ୍ଧା ଶତପ୍ରତିଶତ ପରିମଳ ବିସ୍ତାର ହାସଲ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ଉପସ୍ଥିତ ପଦାଧିକାରୀମାନଙ୍କୁ ଆହ୍ୱାନ କରିଥିଲେ ।

ଯୁଦ୍ଧକାଳୀନ ଭିତିରେ ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନା ପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଅର୍ଥବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ୫ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ ହେବ ବୋଲି ବିଶ୍ୱ ଆଶା କରୁଛି । ଫଳାଫଳ ଆଧାରିତ ଆବଂଟନ ଏବଂ ବ୍ୟୟ ସଂଶୋଧନ ଲାଗି ଅର୍ଥ ଆୟୋଗଙ୍କୁ ନୂଆ ନୂଆ ପରାମର୍ଶ ଦେବା ପାଇଁ ସେ ରାଜ୍ୟଗୁଡ଼ିକୁ ଉତ୍ସାହିତ କରିଥିଲେ ।

ରାଜ୍ୟଗୁଡ଼ିକ ବର୍ତମାନ ନିବେଶକ ସମ୍ମିଳନୀ ଆୟୋଜନ କରୁଥିବା ଜାଣି ସେ ଖୁସିବ୍ୟକ୍ତ କରିଥିଲେ । ରାଜ୍ୟଗୁଡ଼ିକ ରପ୍ତାନି ପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ । “ବ୍ୟବସାୟିକ ସୁଗମତା”କୁ ପ୍ରୋତ୍ସାହିତ କରିବା ଲାଗି ସେ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ବ୍ୟବସାୟିକ ସୁଗମତାକୁ ଆହୁରି ତ୍ୱରାନ୍ୱିତ କରିବା ସକାଶେ ନୀତି ଆୟୋଗ ସବୁ ରାଜ୍ୟକୁ ନେଇ ଏକ ବୈଠକ ଆୟୋଜନ କରିବା ଉଚିତ । “ସହଜ ଜୀବନଧାରଣ” ବର୍ତମାନ ସମୟରେ ସାଧାରଣ ଜନତାଙ୍କ ଆବଶ୍ୟକତା ଏବଂ ରାଜ୍ୟଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।

କୃଷି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ କର୍ପୋରେଟ ନିବେଶ ଅତି ନିମ୍ନରେ ରହିଛି । ଶୀତଳଭଣ୍ଡାର, ପରିବହନ, ମୂଲ୍ୟ ଯୋଗାଣ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ କର୍ପୋରେଟ ନିବେଶ ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ନୀତି ପ୍ରଣୟନ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ସଫଳତା ପୂର୍ବକ ନିଲାମ ହୋଇସାରିଥିବା କୋଲ ବ୍ଲକଗୁଡ଼ିକ ଯଥାଶୀଘ୍ର ଉତ୍ପାଦନ ଆରମ୍ଭ କରିବା ଆବଶ୍ୟକ । ଏହି ଦିଗରେ ପଦକ୍ଷେପ ନେବା ଲାଗି ସେ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଜିଲ୍ଲା ଖଣିଜ ପାଣ୍ଠି ବ୍ୟାପକ ଭାବେ ଗରିବ ଏବଂ ଆଦିବାସୀଙ୍କୁ ସହାୟତା କରିପାରିବ ।
ସମ୍ବଳର ଉତମ ଉପଯୋଗ ଏବଂ ଅର୍ଥ ସଂଚୟକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକସଙ୍ଗେ କରିବା ଲାଗି ବ୍ୟାପକ ବିତର୍କ ଏବଂ ପରାମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗଭର୍ଣ୍ଣିଂ ପରିଷଦ ଶାସନ ସଂପର୍କୀତ ସମସ୍ତ ଜଟିଳ ପ୍ରସଙ୍ଗ ଉପରେ ପଦକ୍ଷେପ ଗ୍ରହଣ କରିଛନ୍ତି । “ଟିମ୍ ଇଣ୍ଡିଆ” ମନୋଭାବ ନେଇ ଆମେ କାର୍ଯ୍ୟ କରୁଛୁ । ଏହା ଦ୍ୱାରା ସହଭାଗୀ, ସହଯୋଗୀ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ସଂଘୀୟ ବ୍ୟବସ୍ଥାକୁ ବାସ୍ତବରେ ରୂପାୟନ କରାଯାଇପାରିବ । ବସ୍ତୁ ଓ ସେବାକର ପ୍ରବର୍ତନ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନୀତି ନିର୍ଦ୍ଧାରଣରେ ସ୍ୱଚ୍ଛ ଭାରତ ଅଭିଯାନ, ଡ଼ିଜିଟାଲ କାରବାର ଓ କୌଶଳ ବିକାଶ ଆଦି ପ୍ରସଙ୍ଗରେ ଗଠିତ ଉପ-ଗୋଷ୍ଠୀ ଏବଂ କମିଟି ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି । ଏଭଳି ଉପ-ଗୋଷ୍ଠୀଙ୍କ ପରାମର୍ଶକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ।

ଭାରତୀୟ ଅର୍ଥବ୍ୟବସ୍ଥା୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଅବଧିରେ ୭.୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ବିକାଶ ହାରକୁ କିଭଳି ଦୁଇ ଅଙ୍କରେ ପହଂଚାଯାଇ ପାରିବ ତାହା ହେଉଛି ସରକାରଙ୍କ ନିକଟରେ ସବୁଠାରୁ ବଡ଼ ଚାଲେଞ୍ଜ । ଏଥି ସକାଶେ ସରକାର ଅନେକ ଗୁଡ଼ିଏ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୨ ମସିହା ସୁଦ୍ଧା ନୂତନ ଭାରତ ଗଠନର ପରିକଳ୍ପନା କେବଳ ଏକ ଲକ୍ଷ୍ୟ ନୁହେଁ ଦେଶ ପାଇଁ ଏହା ଏକ ମସ୍ତବଡ଼ ଚାଲେଞ୍ଜ । ଏହି ଲକ୍ଷ୍ୟକୁ ସାକାର କରିବା ସକାଶେ ଆଜିର କାର୍ଯ୍ୟସୂଚୀରେ ଥିବା ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଜରିଆରେ ଦେଶରେ ଏବେ ୧.୫ ଲକ୍ଷ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ଖୋଲାଯାଉଛି । ଦେଶର ୧୦ କୋଟି ପରିବାରଙ୍କୁ ବର୍ଷକୁ ୫ ଲକ୍ଷ ଲେଖାଏଁ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ସୁନିଶ୍ଚିତ କରାଯାଉଛି । ସେହିଭଳି ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷା ବିକାଶ ସକାଶେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ଶେଷରେ, ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ପରାମର୍ଶ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ପ୍ରତିନିଧିମାନଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ସ୍ୱାଗତ କରିଥିଲେ । ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ସଂଯୋଜନାକାରୀର ଭୂମିକା ନିର୍ବାହ କରିଥିଲେ ।

Related Post