Sun. Mar 8th, 2026

ନିର୍ଭୟା ଦୋଷୀଙ୍କୁ ଫାଶୀ ନିମନ୍ତେ କେନ୍ଦ୍ର ସରକାର କରିଥିବା ଆବେଦନର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୧

224 Views

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାର କରିଥିବା ଆବେଦନର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୧ ତାରିଖ ଦିନ କରାଯିବ ବୋଲି ସୁପ୍ରିମ୍‌ କୋର୍ଟ ଶୁକ୍ରବାର ଦିନ କହିଛନ୍ତି।

ଶୁକ୍ରବାର ଦିନ ଏହି ଆବେଦନର ଶୁଣାଣି ହେବ ବୋଲି ଗତକାଲି ସୁପ୍ରିମ୍‌ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ। ୨୦୧୨ ମସିହା ଡିସେମ୍ବର ୧୨ ତାରିଖ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କୁ ଅଲଗା ଅଲଗା ଫାଶୀ ଦେବା ଲାଗି କେନ୍ଦ୍ର ସରକାର କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ।

ଏହି ଆବେଦନର ଶୁଣାଣି ନିମନ୍ତେ ଆସନ୍ତା ସପ୍ତାହଯାଏଁ ଅପେକ୍ଷା କରିବାକୁ ସୁପ୍ରିମ୍‌ କୋର୍ଟଙ୍କର ତିନି-ବିଚାପତିବିଶିଷ୍ଟ ଖଣ୍ଡପୀଠ ଆଜି ଏକ ସଂକ୍ଷିପ୍ତ ଶୁଣାଣି ପରେ କହିଛନ୍ତି।

ଚାରି ଦୋଷୀଙ୍କୁ ନୋଟିସ୍‌ ଜାରି କରିବାକୁ କେନ୍ଦ୍ର ସରକାରଙ୍କର ବରିଷ୍ଠ ଆଇନ ଅଧିକାରୀ ତୁଷାର ମେହେଟା କହିବା ପରେ ଜଷ୍ଟିସ୍‌ ଆର୍‌ ବାନୁମତୀ କହିଲେ: ଆପଣଙ୍କ ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୧ ତାରିଖରେ କରାଯିବ।

ମେହେଟା ଯୁକ୍ତି ବାଢ଼ିଥିଲେ ଯେ ଦୋଷୀମାନେ ଫାଶୀ ବିଳମ୍ବ କରାଇବାକୁ ଉଦ୍ୟମ କରୁଛନ୍ତି। ଫାଶୀ ବିଳମ୍ବ ହେଉଥିବା କାରଣକୁ ଭିତ୍ତିକରି ପରବର୍ତ୍ତୀ ସମୟରେ ଦୋଷୀମାନେ ଫାଶୀଦଣ୍ଡକୁ ଆଜୀବନ ଜେଲ୍‌ଦଣ୍ଡରେ ପରିବର୍ତ୍ତନ କରିବାକୁ ଅଦାଲତଙ୍କୁ ଅନୁରୋଧ କରିବାକୁ ଏହା ଗୋଟାଏ କୌଶଳ।

ସେ ଆହୁରି କହିଲେ ଯେ ରାଜକ୍ଷମା ଆବେଦନ ନ କରି ପବନ ଗୁପ୍ତା ୫ ବର୍ଷ ଚୁପ୍‌ଚାପ୍‌ ବସି ରହିବ। ତା’ପରେ ଶତ୍ରୁଘ୍ନ ଚୌହାନଙ୍କ ରାୟ ଭଳି, ଫାଶୀ ବିଳମ୍ବ ହେଉଥିବା ଦର୍ଶାଇ ଫାଶୀଦଣ୍ଡକୁ ଜେଲ୍‌ଦଣ୍ଡରେ ପରିବର୍ତ୍ତନ କରିବାକୁ ଚାରି ଦୋଷୀ ଅଦାଲତଙ୍କୁ ନିବେଦନ କରିବେ। ଫାଶୀ ଦିଆଯିବାରେ ବିଳମ୍ବ ହେଲେ ଫାଶୀଦଣ୍ଡାଦେଶ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ ହେବ ବୋଲି ୨୦୧୪ରେ ସୁପ୍ରିମ୍‌ କୋର୍ଟ ଏକ ରାୟରେ କହିଥିଲେ।

By amfnews

Related Post