107 Views
ମାଲକାନଗିରି, ୧୫ା୧୧ : ମାଲକାନଗିରି ଜିଲ୍ଲା ପଡୋଶୀ ରାଜ୍ୟ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ କାର୍ଯ୍ୟ ଶେଷ କରି ଫେରୁଥିବା ସୁରକ୍ଷାକର୍ମୀଙ୍କ ଗାଡିକୁ ବିଜାପୁର ଭୋପଲପଟନମ ଜାତୀୟ ରାଜପଥ ସ୍ଥିତ କୋଡେପାଲ ଗ୍ରାମ ନିକଟସ୍ଥ ମହାଦେବଘାଟ ନିକଟରେ ମାଓବାଦୀ ମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି।
କେନ୍ଦ୍ରୀୟ ଗୃହ ମନ୍ତ୍ରୀ ରାଜନାଥ ସିଂହ ଛତିଶଗଡ଼ ପ୍ରଚାର ଗସ୍ତରେ ଆସୁଥିବା ବେଳେ ଠିକ ଗୋଟିଏ ଦିନ ପୂର୍ବରୁ ଏହି ଲ୍ୟାଣ୍ଡମାଇନ ଆକ୍ରମଣ ଘଟାଇଛନ୍ତି ମାଓବାଦୀ।ସକାଳ ୯ ଟା ସମୟରେ ମାଓବାଦୀ ମାନେ ବିସ୍ଫୋରଣ ଘଟାଇ ଟ୍ରକକୁ ଉଡାଇଛନ୍ତି।ଆକ୍ରମଣରେ ଟ୍ରକଟି ପୁରା ଛିନ୍ ଛତର ହୋଇଯାଇଛି।
ସୂଚନାଯୋଗ୍ୟ କି ଭୋପଲପଟନମ ଅଞ୍ଚଳରେ ନିର୍ବାଚନ ସମ୍ପର୍ଣ୍ଣ କରି ବିଏସଏଫ ବାଟାଲିୟନ ୪୧୪ ର ଯବାନ ମାନେ ଫେରୁଥିଲେ।ମାଓବାଦୀ ମାନେ ଗାଡିକୁ ଆକ୍ରମଣ କରିଥିଲେ।ଏହି ଘଟଣାରେ ବିଏସଏଫର ୪ ଯବାନ,୧ ଡିଆରଜି ଯବାନ ଓ ଗାଡି ଡ୍ରାଇଭର ସମେତ ୬ ଜଣ ଆହତ ହୋଇଛନ୍ତି।ଯେଉଁଥିରେ ୩ ଜଣଙ୍କ ସ୍ଥିତି ସାମାନ୍ୟ ଗୁରୁତର ରହିଛି।ଆହତ ମଧ୍ୟରେ ଏ ଏସ ଆଇ ନରେଶ ସିଂହ, କନେଷ୍ଟବଳ ଭଗବାନ ସିଂହ, ନିରଞ୍ଜନ ସିଂହ, ଆଲୋକ ସିଂହ, ଡିଆରଜି ଯବାନ ଗଣପତି ଭାସମ ଓ ଗାଡି ଡ୍ରାଇଭର ସାମିଲ ଅଛନ୍ତି।ଆହତ ମାନଙ୍କର ଜିଲ୍ଲା ଚିକିତ୍ସାଳୟରେ ଉପଚାର କରାଯାଉଥିବା ବେଳେ ଗୁରୁତର ମାନଙ୍କୁ ରାୟପୁର ରେଫର କରିବା ପାଇଁ ବ୍ୟବସ୍ଥା କରାଯାଉଛି।ସୁରକ୍ଷା ଦୃଷ୍ଟିରୁ ବିଜାପୁର ଭୋପଲପଟନମ ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅଵରୋଧ କରାଯାଇଛି ବୋଲି ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନାନୁସାରେ ଉକ୍ତ ବିସ୍ଫୋରଣରେ ୩ ଜଣ ଗୁରୁତର ଆହତ ସମେତ ୬ ଜଣ ଯବାନ ଆହତ ହୋଇଛନ୍ତି।ରାଜ୍ୟରେ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ହୋଇଥିବା ବେଳେ ଏହି ନିର୍ବାଚନରେ ହଜାର ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା।