Tue. Nov 5th, 2024

ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ: ବୁଥ ପୁନର୍ଗଠନକୁ ବ୍ୟବସ୍ଥିତ କରିବାକୁ ବିଜେପିର ଦାବି, ବାଲଟ ପେପରରେ ଭୋଟିଂ ପାଇଁ ପ୍ରସ୍ତାବ

By amfnews Aug 30, 2018
220 Views

ଭୁବନେଶ୍ୱର, ଅଗଷ୍ଟ ୩୦:

 ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ଆରମ୍ଭ ହେଉଥିବାରୁ ଏହି ତାଲିକାରେ ନିଜର ନାମକୁ ଅନ୍ତର୍ଭୁକ୍ତ କରିବା ପାଇଁ ନୂତନ ଯୁବ ଭୋଟର ମାନଙ୍କୁ ପ୍ରବର୍ତାଇବା ଲାଗି ରାଜନୈତିକ ଦଳ ଗୁଡ଼ିକର ସହଯୋଗର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଗୁରୁବାର ମଧ୍ୟାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ। ଏହି ବୈଠକରେ ବିଶେଷତଃ ଭୋଟର ତାଲିକା ସଂଶୋଧନ, ବୁଥସ୍ତରୀୟ ଏଜେଣ୍ଟ, ନିର୍ବାଚନରେ ବ୍ୟବହୃତ ଇଭିଏମ ଓ ଭିଭିପାଟ୍ ମେସିନ୍ ନେଇ ଆଲୋଚନା ହୋଇଥିଲା। ବୈଠକରେ ବିଜେଡିରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଜେପିରୁ ସମୀର ମହାନ୍ତି, ପୀତାମ୍ବର ଆଚାର୍ଯ୍ୟ ଓ କଂଗ୍ରେସରୁ ଉପସଭାପତି ଶିବାନନ୍ଦ ରାୟ ଓ ଅନ୍ୟ ଦଳର ନେତାମାନେ ଉପସ୍ଥିତ ରହିଥିଲେ।

ସର୍ବଦଳୀୟ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ ଆସନ୍ତାକାଲି ଭୋଟର ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୧ରୁ ଅକ୍ଟୋବର ୩୧ ଯାଏ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ହେବ। ଆଗାମୀ ନିର୍ବାଚନରେ ଅଧିକରୁ ଅଧିକ ଦିବ୍ୟାଙ୍ଗ ଓ ମହିଳାଙ୍କୁ ତାଲିକାରେ ସ୍ଥାନ ଦେବା ନେଇ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।

ସେହିପରି ବୈଠକରେ ବିଜେପି ରାଜ୍ୟରେ ଥିବା ୩୬,୦୦୦ ବୁଥର ପୁନର୍ଗଠନକୁ ବ୍ୟବସ୍ଥିତ କରିବାକୁ ଦାବି କରିଛି। ଭୋଟର ତାଲିକାରେ ସ୍ୱଚ୍ଛତା ଆଣିବାକୁ ମଧ୍ୟ ଦାବି କରାଯାଇଥିବା ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ଭୋଟର ତାଲିକାରେ ବିଜେଡି ଅନିୟମିତତା କରିଥିବା ଅଭିଯୋଗ କରାଯାଇଥିଲା । ତେବେ କଂଗ୍ରସ ଓ ବିଜେପିର ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ବିଜେପିର ଅଭିଯୋଗ ଭିତ୍ତିହୀନ। ଭୋଟର ତାଲିକା ସଂଶୋଧନରେ ବିଜେଡି ସହଯୋଗ କରିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।

ଅନ୍ୟପକ୍ଷରେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା କଂଗ୍ରେସ ଓ ବାମପନ୍ଥୀ ଦଳ ସିପିଆଇ ଓ ସିପିଏମ୍ ଇଭିଏମ୍ ମେସିନ୍ ର ବ୍ୟବହାର ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ । ଇଭିଏମ୍ ବଦଳରେ ବାଲଟ ପେପରରେ ଭୋଟିଂ କରିବାପାଇଁ ସେମାନେ ପ୍ରସ୍ତାବ ଦେଇଥିଲେ । ଡିଲିମିଟେସନ୍ ଓ ଆଡିସନର ସ୍ୱଚ୍ଛତା ବଜାୟ ରଖିବା, ଏସମ୍ପର୍କରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଦାବି କରିଥିଲେ |

By amfnews

Related Post