Sat. Dec 28th, 2024
243 Views

ପ୍ରଶାନ୍ତ ପଟ୍ଟନାୟକ

ଦ୍ୱୀତିୟ ପର୍ଯ୍ୟାୟର ନିର୍ବାଚନ ପାଇଁ ଓଡ଼ିଶାରେ ପ୍ରସ୍ତୁତି ପର୍ବ ପ୍ରାୟ ଶେଷ ହୋଇଛି । ଏହି ନିର୍ବାଚନରେ ବହୁ ସଂଖ୍ୟକ ଅପରାଧୀ ବା ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତି ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ତାହା ବୁଦ୍ଧିଜୀବୀ ମହଲରେ ଆବେଗ ସୃଷ୍ଟି କରିଛି । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଜେପି ଦଳର ୬୦ଶତକଡ଼ା କଂଗ୍ରେସ ଦଳର ୫୩ ଶତକଡ଼ା ଏବଂ ବିଜେଡ଼ି ଦଳର ୩୭ ଶତକଡ଼ା ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି ।

ପ୍ରକାଶିତ ତଥ୍ୟ ଅନୁଯାୟୀ ୨୪୪ଜଣ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୪୧ଜଣ ଏବଂ ୩୫ଜଣ ଲୋକସଭା ପ୍ରାର୍ଥୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ବିଚାରଧୀନ ଥିବା ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ବିଜେପିର ୨୯ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସର୍ବାଧିକ୨୧ଜଣ ଅର୍ଥାତ ଶତକଡ଼ା ୬୦ଭାଗ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ କଂଗ୍ରେସର ୩୫ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୭ଜଣ ଅର୍ଥାତ ଶତକଡ଼ା ୫୩ଭାଗ ଏବଂ ବିଜେଡ଼ିର ୩୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ଜଣ ଅର୍ଥାତ ଶତକଡ଼ା ୩୭ ଭାଗ ପ୍ରାର୍ଥୀ ବିଭିନ୍ନ ଅଦାଲତରେ ଅପରାଧିକ ମାମଲାର ବିଚାରରେ ଜଡ଼ିତ ରହିଛନ୍ତି ।

ଏମାନଙ୍କ ମଧ୍ୟରୁ ୬୮ଜଣ ବିଧାୟକ ପ୍ରାର୍ଥୀଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ରହିଛି ଏବଂ ଏହି ଅପରାଧ ପ୍ରମାଣିତ ହେଲେ ସେମାନେ ସର୍ବନିମ୍ନ ୫ବର୍ଷ ଜେଲ ଦଣ୍ଡ ଭୋଗିବାକୁ ବାଧ୍ୟ ହେବେ । ଗୁରୁରତ ଅପରାଧିକ ଜଡ଼ିତ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ବିଜେପିର ୧୮ଜଣ ବା ଶତକଡ଼ା ୫୧ ଭାଗ ଜଡ଼ିତ ଥିବା ସମୟରେ କଂଗ୍ରେସର ୧୦ଜଣ ବା ଶତକଡ଼ା ୩୧ଭାଗ ଏବଂ ବିଜେଡ଼ିର ୧୧ଜଣ ଅଥବା ଶତକଡ଼ା ୩୧ ଭାଗ ଜଡ଼ିତ ଅଛନ୍ତି ।

ଏ ପର୍ଯ୍ୟାୟର ୩୫ ବିଧାନସଭାର ଆସନରୁ ୧୪ ଟି ରେଡ଼୍ ଆଲର୍ଟ ଆସନ ରହିଛି । ଏସବୁ ବିଧାନସଭା ପାଇଁ ୩ଜଣ ବା ତଦୁଦ୍ଧ୍ୱର୍ ସଂଖ୍ୟକ ଦାଗୀ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଓଡ଼ିଶା ଇଲେକ୍ସନ ୱାଚ୍ ରିପୋର୍ଟ ମୁତାବିକ, ଦ୍ୱିତୀୟ ପର୍ଯ୍ୟାୟରେ ୭୦ଜଣ ୨୯ଶତକଡ଼ା ବିଧାୟକ ପ୍ରାର୍ଥୀ କୋଟିପତି । ବିଜେଡ଼ିର ସର୍ବାଧିକ ୨୧ଜଣ ୬୦ଶତକଡ଼ା ପ୍ରାର୍ଥୀ କୋଟିପତି ଥିବାବେଳେ ଏହାପଛକୁ ବିଜେପିର ୨୦ଜଣ ୫୭ଶତକଡ଼ା ଓ କଂଗ୍ରେସର ୧୩ ଜଣ ୪୧ଶତକଡ଼ା ପ୍ରାର୍ଥୀ କୋଟିପତି । ଏ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପରିମାଣ ୧କୋଟି ୯୩ଲକ୍ଷ ଟଙ୍କା ରହିଛି ।
୬୩କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟର ସବୁଠାରୁ ଧନୀ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ଏହାପଛକୁ ବଲାଙ୍ଗୀର ପାଟଣାଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ ଦ୍ୱିତୀୟ (୩୭,୯. ୯୦,୮୫୧ଟଙ୍କା) ଓ ଝାରସୁଗୁଡ଼ା ବିଧାନସଭାର ବିଜେଡ଼ି ପ୍ରାର୍ଥୀ ନବ କିଶୋର ଦାସ ତୃତୀୟ (୩୩,୬.୭୩,୭୦୭ଟଙ୍କା) ସ୍ଥାନରେ ରହିଛନ୍ତି । କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ପ୍ରାର୍ଥୀ ଅନନ୍ତ କହଁର ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସ୍ୱାଧୀନ ପ୍ରାର୍ଥୀ ବୀରେନ୍ଦ୍ର କୁମାର ଗୌଡ଼ ସମ୍ପତ୍ତି ଶୂନ୍ୟ । ଅର୍ଥାତ ନିର୍ବାଚନ ଲଢ଼ୁଥିବା ଏ ବିଧାୟକ ପ୍ରାର୍ଥୀଙ୍କ ପାଖରେ ନିର୍ବାଚନ ଲଢ଼ିବାକୁ ଟଙ୍କାଟିଏ ବି ନାହିଁ । ଏ ପର୍ଯ୍ୟାୟର ଅନ୍ୟ ୩ ଅତି ଗରିବ ପ୍ରାର୍ଥୀ ହେଲେ ଭଟଲି ବିଧାନସଭା ଆସନରୁ ବିଏସ୍ପି ଟିକେଟରେ ନିର୍ବାଚନ ଲଢ଼ୁଥିବା ନାରାୟଣ ବେସ୍ରା (୮,୦୪୪ଯଙ୍କା), ରଘୁନାଥ ପଲ୍ଲୀ ଆସନର ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର କୁମାର (୧୦୦୦୦ଟଙ୍କା) ଓ ଲୋଇସିଂହାର ଏପିଆଇ ପ୍ରାର୍ଥୀ ଲାଲ୍ମନ୍ ନାଗ (୧୦,୦୦୦ଟଙ୍କା) ।

ମୋଟାମୋଟି ଦେଖିବାକୁ ଗଲେ ସବୁଠାରୁ ଧନୀ ଓ ସବୁଠାରୁ ଗରିବ ପ୍ରାର୍ଥୀମାନଙ୍କ ଭୂମିକା ଅପେକ୍ଷା ଅପରାଧିକ ମାମଲା ଏବଂ କାର୍ଯ୍ୟକଳାପରେ ଲିପ୍ତ ଥିବା ପ୍ରାର୍ଥୀମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ । ସର୍ବନିମ୍ନ ସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଜନସାଧାରଣଙ୍କୁୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିମାନେ ଦେଶବାସୀ ଏବଂ ଦେଶର ଉନ୍ନତି କରିବା ଏକାନ୍ତ ଆବଶ୍ୟକ ହୋଇଥିବାରୁ ସେମାନେ କୌଣସି ଅପରାଧ ବା ଅପରାଧିକ ମାମଲାରେ ଜଡ଼ିତ ହେବା ଆଦୌ ସ୍ପୃହଣୀୟ ନୁହେଁ । ମାତ୍ର ବହୁକ୍ଷେତ୍ରରେ ଆମର ଜନପ୍ରତିନିଧିମାନେ ନିଜର ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ନିମିଷକ ମଧ୍ୟରେ ଦଳବଦଳ ସହ ସମ୍ଭବ ଓ ସମ୍ପତ୍ତି ପାଇଁ ବ୍ୟାକୁଳ ହୋଇ ଅପରାଧମାନ ଘଟାଇବା ଲାଗି କୁଣ୍ଠିତ ହେଉନାହାନ୍ତି । ଅପରାଧରେ ଲିପ୍ତ ରହୁଥିବା ଜନପ୍ରତିନିଧିମାନଙ୍କ ପାଇଁ ଆଇନରେ କଠୋର ଦଣ୍ଡର ବ୍ୟବସ୍ଥା ରହିବା ସହ ଏହି ବ୍ୟକ୍ତିମାନଙ୍କୁ ସବୁଦିନ ପାଇଁ ନିର୍ବାଚନରୁ ବଞ୍ଚିତ କରାଯିବାର ଆଇନଗତ ବ୍ୟବସ୍ଥା କରାଗଲେ ଦେଶରେ ଅପରାଧ ହ୍ରାସ ପାଇବା ସହ ରାଜନେତାମାନେ ଅପରାଧିମାନଙ୍କୁ ପୃଷ୍ଠପୋଷକତା କରିବା ଲାଗି ସାହାସ କରନ୍ତେ ନାହିଁ ।

By amfnews

Related Post