Sat. Mar 15th, 2025

ନିରଞ୍ଜନଙ୍କ ନୂଆ ଟିମ୍‌ ଘୋଷିତ: ନବଗଠିତ ପ୍ରଦେଶ କଂଗ୍ରେସ କମିଟିରେ ୧୪ ଉପ-ସଭାପତି, ୨୪ ସାଧାରଣ ସଂପାଦକ, ଜଣେ କୋଷାଧ୍ୟକ୍ଷ

By amfnews Aug 16, 2018 #Featured
155 Views

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡିଛି ରାଜ୍ୟ କଂଗ୍ରେସ । ଏହି କ୍ରମରେ ଆଜି ପିସିସିର ନୂଆ ଟିମ ଘୋଷଣା ହୋଇଛି । ଏପରିକି ଆଗାମୀ ୨୦୧୯ ନିର୍ବାଚନୀ ବୈତରଣୀ ନିରଞ୍ଜନଙ୍କ ନେତୃତ୍ୱରେ ଲଢିବାକୁ ନିଷ୍ପତ୍ତି ନେଇଛି ଦଳ । ଆଉ ଏଥିପାଇଁ ଏକ ବଡ ଟିମର ଘୋଷଣା କରାଯାଇଛି । ଯେଉଁଥିରେ ଅସନ୍ତୁଷ୍ଟ ନେତା ମାନଙ୍କୁ ସାମିଲ କରିବାକୁ ଚେଷ୍ଟା କରାଯାଇଛି । ନିରଞ୍ଜନଙ୍କ ନୂଆ ଟିମରେ ୧୪ ଜଣ ଉପସଭାପତି, ଜଣେ କୋଷାଧ୍ୟକ୍ଷଙ୍କୁ ସାମିଲ କରାଯାଇଛି । ଏହାଛଡା ସନ୍ତୁଷ୍ଟି ଫର୍ମୁଲା ଅନୁଯାୟୀ ୨୪ ଜଣ ନେତାଙ୍କୁ ସାଧାରଣ ସଂପାଦକ ଭାବେ ନୂଆ ଦାୟିତ୍ୱ ମିଳିଛି । ଏହା ଉପରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ନୂଆ  ପିସିସି ତାଲିକାରେ ସମସ୍ତ ଅସନ୍ତୁଷ୍ଟ ନେତା ମାନଙ୍କୁ ସାମିଲ କରିବାକୁ ପ୍ରୟାସ କରାଯାଇଛି । କାର୍ଯ୍ୟକାରୀ କମିଟିରେ ୨୭ ଜଣ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି । ଏହାଛଡା କିଛି ଦିନ ପୂର୍ବେ ଦଳରେ ଯୋଗ ଦେଇଥିବା ସତ୍ୟ ନାୟକଙ୍କୁ ମିଡିଆ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ସେହିଭଳି କିଛି ଦିନ ପୂର୍ବେ ଦଳରେ ମିଶିଥିବା ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ଉପସଭାପତି ଭାବେ ନୂଆ ଦାୟିତ୍ୱ ମିଳିଛି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ଅନନ୍ତ ପ୍ରସାଦ ସେଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, ସଦନ ନନ୍ଦ, ସନ୍ତୋଷ ସିଂହ ସାଲୁଜା, ରାଧାକାନ୍ତ ଦିଗାଲ, ଗଣେଶ୍ୱର ବେହେରେ, ଦେବାଶିଷ ପଟ୍ଟନାୟକ, ଅମରନାଥ ପ୍ରଧାନ, ପ୍ରଫେସର କୈଳାଶ ଆଚାର୍ଯ୍ୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ନକୁଳ ନାୟକ, ସସ୍ମିତା ବେହେରାଙ୍କୁ କମିଟିରେ ଉପସଭାପତି କରାଯାଇଛି।

ଅନ୍ୟପଟେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ୧୩ ନେତା ଓ ସମସ୍ତ ବିଧାୟକଙ୍କୁ ସ୍ଥାନ ମିଳିଛି । ଏହାଛଡା ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟି ଅଧ୍ୟକ୍ଷ କରାଯାଇଛି । ଆଉ ଏହି କମିଟିରେ ମୋଟ ୭ ଜଣ ନେତାଙ୍କୁ ରଖିଛନ୍ତି ରାହୁଲ ଗାନ୍ଧି । ମୋଟାମୋଟି ଭାବେ କଂଗ୍ରେସର କୋର କମିଟିରେ ୪୨ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । କୋଷାଧ୍ୟକ୍ଷ ଭାବେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲଙ୍କୁ ଦାୟିତ୍ୱ ମିଳିଛି । ଆଉ ଏହାସହ ୬ଟି ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବଭଳି ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଭକ୍ତ ଦାସଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଆବାହକ ଭାବେ ରଞ୍ଜୀବ ବିଶ୍ୱାଳ କମିଟିରେ ସ୍ଥାନ ପାଇଛନ୍ତି । ଏମାନଙ୍କ ସହ ୩୮ ନେତା ଓ ସମସ୍ତ ବିଧାୟକଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି ।

By amfnews

Related Post