ପାନିପତ, ଜାନୁଆରୀ ୨୪ : ହରିୟାଣାର ପାନିପତରେ ରହୁଥିବା ଜଣେ ୩୦ବର୍ଷୀୟ ଶିକ୍ଷୟିତ୍ରୀ ନିଜ ୧୯ବର୍ଷୀୟ ଛାତ୍ରଙ୍କ ସହ ମିଶି ସ୍ୱାମୀକୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକଙ୍କ ଶରୀର ତାଙ୍କ ଘରୁ ପୁଲିସ ଜବତ କରିଥିବା ବେଳେ କୌଣସି ଓଜନିଆ ବସ୍ତୁ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରାଯାଇଥିବା କହିଛି ପୁଲିସ । ଘଟଣାର ତଦନ୍ତ କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଘଟଣାଟି ସମଲେଖା ଅଞ୍ଚଳରେ ଘଟିଛି ।
ପୁଲିସ ଦେଇଥିବା ସୂଚନା ମୁତାବକ,ଦଲବୀର ସିଂହଙ୍କ ବିବାହ ୪ବର୍ଷ ତଳେ ରୋହତକ୍ରେ ରହୁଥିବା ଅମିତାଙ୍କ ସହ ହୋଇଥିଲା । ବିବାହ ପରେ ଦୁହିଁଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା । ଅମିତା ପାଠ ପଢ଼ାଇବାରେ ଦକ୍ଷ ଥିବାରୁ ସେ ଟ୍ୟୁସନ୍ କରିବା ଆରମ୍ଭ କରିଥିଲେ । ପଡ଼ିଶା ଘରେ ରହୁଥିବା ୧୯ବର୍ଷୀୟ ଅମିତ୍ଙ୍କୁ ସେ ପଢ଼ାଇବା ଆରମ୍ଭ କରିଥିଲେ । କିଛି ଦିନ ପଢ଼ାଇବା ପରେ ଦୁହିଁଙ୍କ ମଧ୍ୟରେ ଅବୈଧ ସଂପର୍କ ସ୍ଥାପନ ହୋଇ ଯାଇଥିଲା । ଯାହାର ଖବର ଦଲବୀରଙ୍କ ପାଖରେ ପହଞ୍ଚିଥିଲା । ସବୁ ଜାଣିବା ପରେ ଦଲବୀର ଏବଂ ଅମିତାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ସବୁ ଘଟଣାକୁ ଆଖି ଆଗରେ ରଖି ଦଲବୀର ଅମିତାଙ୍କୁ ନେଇ ଅନ୍ୟ ସ୍ଥାନକୁ ଚାଲି ଯାଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ଦଲବୀରଙ୍କୁ ରାସ୍ତାରୁ ହଟାଇବାର ଯୋଜନା କରିଥିଲେ ଅମିତା ।