Tue. Dec 24th, 2024
269 Views

ଭୂବନେଶ୍ୱର : ସ୍ଥାନୀୟ ତପସ୍ୟା ଫାଉଣ୍ଡେସନ୍ ପକ୍ଷରୁ ଚଳିତ ବର୍ଷର ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ବିଶିଷ୍ଟ ନାଟ୍ୟକାର ଓ ଅଭିନେତା ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟ ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତା ଓ ସାହିତ୍ୟର ବଳିଷ୍ଠ ସର ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୧୯’ ଏବଂ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର -୨୦୧୯’ରେ ସମ୍ମାନିତ କରାଯିବ ବୋଲି ଶୁକ୍ରବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ତିନି ସାହିତ୍ୟିକଙ୍କୁ ମୋଟ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଆସନ୍ତା ଜାନୁଆରୀ ୧୨ ତାରିଖ ସନ୍ଧ୍ୟାରେ ଏଠାରେ ଆଯୋଜିତ ହେବାକୁ ଥିବା ଏକ ବାର୍ଣ୍ଣାଢ଼୍ୟ ସମାବେଶରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ରମଣ ମାଗାସେସେ ପୁରସ୍କାର ବିଜେତା ତଥା ‘ଗୁଞ୍ଜ’ର ପ୍ରତିଷ୍ଠାତା ଅଂଶୁଗୂପ୍ତା ଗୋଗଦେଇ ଦ୍ୱିତୀୟ ‘ଡ଼ାକ୍ତର ବୈଦନାଥ ମିଶ୍ର ସ୍ମାରକି ବତ୍କୃତା’ ପ୍ରଦାନ କରିବେ । ସମାରୋହରେ ନେଟୱାର୍କ ୧୮ ଡ଼ିଜିଟାଲ ସମ୍ପାଦକ, ବରିଷ୍ଠ ସମ୍ବାଦିକ ଓ ଲେଖକ ନିଧେଷ ତ୍ୟାଗୀ ମଧ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ତପସ୍ୟା ଫାଉଣ୍ଡେସନ ଅଧ୍ୟକ୍ଷ ଡ଼କ୍ଟର ତପନ ପଣ୍ଡା, ବିଶିଷ୍ଟ ଲେଖିକା ଡ଼କ୍ଟର ହିରଣ୍ମୟୀ ମିଶ୍ର, ବରିଷ୍ଠ କର୍ପୋରେଟ ଅଧିକାରୀ ଶ୍ରୀଯୁକ୍ତ ପାର୍ଥ ପାଟ୍ଟନାୟକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ଗତ ବର୍ଷଠାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଉଛି । ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’ ରେ ସମ୍ବର୍ଦ୍ଧିତ ହେବାକୁ ଥିବା ବରିଷ୍ଠ ନାଟ୍ୟକାର ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ପୁରସ୍କାର ବାବଦରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବାକୁ ଥିବା ବେଳ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୧୯’ ବାବଦରେ ୩୦,୦୦୦ ଟଙ୍କା ଏବଂ ଡ଼ିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ସୁରସ୍କାର -୨୦୧୯’ ବାବଦରେ ୨୦,୦୦୦ଟଙ୍କା ପ୍ରଦାନ କରାଯିବ ।

ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୮ମସିହା ପାଇଁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ବିଭୂତି ଭୂଷଣ ପ୍ରଧାନଙ୍କୁ (ମରଣତ୍ତର ଭାବେ) ‘ତପସ୍ୟା ଶାଶ୍ୱତ ପୁରସ୍କାର’, ବିଶିଷ୍ଠ ଲେଖକ ରାମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ଯୁବ ଲେଖକ ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଏନ ଡ଼ି ଟିଭିର ଆବାସିକ ସମ୍ପାଦକ ତଥା ଲେଖକ କିଶଲୟ ଭଟ୍ଟାଚାର୍ଯ୍ୟ ଯୋଗଦେଇ ପ୍ରଥମ ‘ଡ଼ାକ୍ତର ବୈଦ୍ୟନାଥ ମିଶ୍ର ସ୍ମାରକି ବତ୍କୃତା’ ପ୍ରଦାନ କରିଥିଲେ ।

By amfnews

Related Post