ଭୁବନେଶ୍ବର , ଜାନୁଆରୀ ୬ : ରାଜ୍ୟରେ ମହିଳା ସଶକ୍ତୀକରଣ ଓ ମା’କୁ ସମ୍ମାନ ଆଳରେ ନବୀନ ସରକାର ଗରିବଙ୍କ ଝାଳବୁହା ଧନକୁ ଲୁଟ୍ କରୁଛନ୍ତି। ଏ ସରକାର ଭୋଟ ସର୍ବସ୍ବ ରାଜନୀତି କରୁଛନ୍ତି। ନିର୍ବାଚନ ସମୟ ଆସିଲେ ମହିଳାଙ୍କ ପାଇଁ ମୋବାଇଲ୍ ବଣ୍ଟନଠାରୁ ଆରମ୍ଭ କରି ଅନେକ ଯୋଜନା କରି ସେମାନଙ୍କୁ ପ୍ରଲୋଭିତ କରିଥାନ୍ତି। ଗତ ୧୯ ବର୍ଷରେ ପ୍ରତିବର୍ଷ ମହିଳାଙ୍କ ସୁରକ୍ଷା ପାଇଁ ମାତ୍ର ୧ କୋଟି ଲେଖାଏଁ ବ୍ୟୟବରାଦ କରିଛନ୍ତି।
ଗତବର୍ଷ ବଜେଟ୍ରେ ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଓ ସ୍ବୟଂ ସହାୟକ ଗୋଷ୍ଠୀ ଯୋଜନାକୁ ମିଶାଇ ମାତ୍ର ୯୭ କୋଟି ରଖିଥିବା ବେଳେ ଚଳିତ ବର୍ଷ ଏହି ପରିମାଣ ୧୦୬୧ କୋଟି ଅର୍ଥାତ୍ ୯୯୩ ପ୍ରତିଶତ ବୃଦ୍ଧି କରିଛନ୍ତି। ଗରିବଙ୍କ ଧନକୁ ରାଜସ୍ବ ଭାବେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଟଙ୍କା ବାଣ୍ଟିଥିବା ଭଳି ଗୁରୁତର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।
ଏ ନେଇ ଏକ ପ୍ରେସ୍ ବିବୃତି ଜରିଆରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ୨୦୧୪ ନିର୍ବାଚନ ବୈତରଣୀ ପାର ହେବା ପାଇଁ ମହିଳା ସଶକ୍ତୀକରଣ ଲକ୍ଷ୍ୟ ନେଇ ୩୦.୮୦ କୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବାଣ୍ଟି ବାହାସ୍ପୋଟ ନେଲେ। ପୁଣି ୫ ବର୍ଷ ପରେ ପୁଣିଥରେ ସରକାରକୁ ଫେରିବାର ଆଭିମୁଖ୍ୟ ନେଇ ସରକାର ୨୦୧୮-୧୯ ବଜେଟ୍ରେ ମହିଳାଙ୍କ ପାଇଁ ୧୦୬୧ କୋଟିର ବରାଦ କରିଛନ୍ତି। ଗତ ୪ ବର୍ଷରେ ମହିଳା ସଶକ୍ତୀକରଣ ପାଇଁ ବଜେଟ୍ରେ ଟଙ୍କାଟିଏ ରଖିନଥିବା ବେଳେ ମହିଳାଙ୍କ ପାଇଁ ସରକାରଙ୍କ ଦରଦ କେଉଁଠି ଥିଲା ବୋଲି ସେ ପଚାରିଛନ୍ତି।