Fri. Dec 27th, 2024

ନବୀନ-ନରସିଂହଙ୍କ ମଧୁଚନ୍ଦ୍ରିକା ଅଭିଯୋଗ କରି ବିଜେପିର ହଙ୍ଗାମା, ପ୍ରଶ୍ନକାଳ ବରବାଦ, ଗୃହ ମୁଲତବୀ

By amfnews Nov 20, 2018 #Featured
134 Views

ଭୁବନେଶ୍ୱର, ନଭେମ୍ବର ୨୦ : ପଞ୍ଚଦଶ ବିଧାନସଭାର ଶୀତ ଅଧିବେଶନର ପ୍ରଶ୍ନ କାଳ ଚତୁର୍ଥ ଦିନରେ ମଧ୍ୟ ଅଚଳ ହୋଇଛି । ଉଭୟ ବିରୋଧୀ ବିଜେପି ଓ ଶାସଦ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଓ ହଙ୍ଗାମା ଯୋଗୁଁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ୧୧ ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଫଳରେ ଆଜି ପ୍ରଶ୍ନ କାଳ ମାତ୍ର ୪ ମିନିଟ୍‌ ପାଇଁ ଚାଲି ପାରିଥିଲା । ଅନ୍ୟପକ୍ଷରେ ଖାଦ୍ୟ ସୁରକ୍ଷାକୁ ନେଇ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଗୃହ ସ୍ୱାଭାବିକ ହେଲେ ଆଲୋଚନା ହେବାର ସୂଚନା ରହିଛି ।

କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଖୁଲାସା କରିଥିବା ବିଜେଡ଼ି ଓ କଂଗ୍ରେସର ସଂପର୍କ ବିଜେପିକୁ ଏକ ଶକ୍ତ ମୁଦ୍ଦା ଯୋଗାଇଦେଇଛି । ଯାହାକୁ ଆଜି ପ୍ରସଙ୍ଗ କରି ଗୃହ ଭିତରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟମାନେ । ‘ନବୀନ-ନରସିଂହ ଏକ’ ଓ ‘ବିଜେଡ଼ି-କଂଗ୍ରେସ ଭାଇ ଭାଇ’ ସ୍ଲୋଗାନରେ କମ୍ପିଥିଲା ଗୃହ । କୃଷ୍ଣ ସଗରିଆ ଦେଇଥିବା ଚିଠିକୁ ଆଧାର କରି ବିଜେପି ବିଧାୟକ ରବି ନାୟକ, ପ୍ରଦୀପ ପୁରୋହିତ ଓ ରାଧାରାଣୀ ପଣ୍ଡା ପ୍ରମୁଖ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ନେଇ ନାରାବାଜି କରିଥିଲେ ।

ବିରୋଧୀ ଦଳ ନେତାଙ୍କର ଶାସକ ଦଳ ସହିତ ଏମିତି ସଂପର୍କ ଗଣତନ୍ତ୍ର ପାଇଁ ବିପଦ ବୋଲି କହିଥିଲେ । ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ । ଅନ୍ୟପକ୍ଷରେ ବିଜେଡ଼ି ସଦସ୍ୟମାନେ ମଧ୍ୟ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ । ଦୁଇ ଦଳର ସଦସ୍ୟଙ୍କ ହଙ୍ଗାମାରେ ଉଠିଥିଲା ପଡ଼ିଥିଲା ଗୃହ । ଫଳରେ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଶ୍ନ କାଳକୁ ବାତିଲ କରିଥିଲେ ଏବଂ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ଗୃହ ମୁଲତବୀ ହେବା ପରେ ବିଧାନସଭା ପରିସରରେ ବିଜେପି ବିଧାୟକମାନେ ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଥିଲେ । ମୁଖ୍ୟମନ୍ତ୍ରୀ, ନରସିଂହ ମିଶ୍ର ଓ ଭୂପିନ୍ଦର ସିଂହଙ୍କ କାର୍ଟୁନ ପୋଷ୍ଟରକୁ ଧରି ଧାରଣା ଦେଇଛନ୍ତି ।

ସେପଟେ ଖାଦ୍ୟ ସୁରକ୍ଷା ଆଇନକୁ ନେଇ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିଲେ । ଏହାର ପ୍ରସଙ୍ଗ  ରହିଛି ‘ଖାଦ୍ୟ ସୁରକ୍ଷା ବିଫଳ, ଗରିବ ହିତାଧିକାରୀଙ୍କୁ ଅଣଦେଖା କରି ଦଳୀୟ ଭିତିରେ ହିତାଧିକାରୀ ଚୟନ’ । ଏହି ପ୍ରସ୍ତାବ ଉପରେ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ଉତ୍ତର ରଖିବେ ।

By amfnews

Related Post