Sun. Mar 8th, 2026

ନନ୍ଦନକାନନରେ ମା ହେଲା ଧଳାବାଘୁଣୀ ସ୍ନେହା

168 Views

ବାରଙ୍ଗ: ସୋମବାର ପ୍ରତ୍ୟୁଷରେ ସ୍ଥାନୀୟ ଚିଡ଼ିଆଖାନା ନନ୍ଦନକାନରେ ଧଳାବାଘୁଣୀ ସ୍ନେହା ଦୁଇଟି ଶାବକ ଜନ୍ମ ଦେଇଛି। ଗୋଟାଏ ଶାବକ ପାହାନ୍ତା ୩: ୩୮ ମିନିଟ୍‌ରେ ଜନ୍ମ ନେଇଥିବା ବେଳେ ଅନ୍ୟଟି ଭୋର୍‌ ୫: ୫୪ରେ ଜନ୍ମ ଗ୍ରହଣ କରିଥିଲା। ମାଆ ସ୍ନେହା ଛୁଆ ଦୁହିଁଙ୍କର ଯତ୍ନ ନେଉଥିବାର ଦୃଶ୍ୟ ସିସିଟିଭି ଜରିଆରେ ନନ୍ଦନକାନନ କର୍ତ୍ତୃପକ୍ଷମାନେ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ହାଇଦ୍ରାବାଦ ଚିଡ଼ିଆଖାନାରୁ ଅଣାଯାଇଥିବା ସାଧାରଣ ରଙ୍ଗର ବାଘ ‘ସୈଫ୍‌’ ସହ ମିଳିତ ହେବାର ପ୍ରାୟ ୧୦୫ ଦିନ ପରେ ଆଜି ଧଳାବାଘୁଣୀ ‘ସ୍ନେହା’ ଏହି ଶାବକଦ୍ୱୟଙ୍କୁ ଜନ୍ମ ଦେଇଛି।

ଏହା ହେଉଛି ‘ସ୍ନେହା’ର ଦ୍ୱିତୀୟ ଗର୍ଭ। ପ୍ରଥମ ଗର୍ଭରେ ‘ମନୀଷ’ ଔରସରୁ ‘ସ୍ନେହା’ ୨୦୧୬ ମସିହା ଅଗଷ୍ଟ ୫ ତାରିଖରେ ତିନିଟି ଶାବକ ଜନ୍ମ କରିଥିଲା। ସେମାନେ ହେଉଛନ୍ତି କଳାବାଘ ‘ଭିକି’ ଏବଂ ଧଳାବାଘ ‘ମୌସୁମୀ’ ଓ ‘ଚିନୁ’।

ଆଜି ଜନ୍ମିଥିବା ଶାବକ ଦୁଇଟିକୁ ମିଶାଇ ନନ୍ଦନକାନରେ ବାଘସଂଖ୍ୟା ୨୭ ହେଲା। ଏବେ ନନ୍ଦନକାନନରେ ୧୩ଟି ସାଧାରଣ ରଙ୍ଗର ବାଘ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ଅଣ୍ଡିରା ଓ ୮ଟି ମାଈ। ସେଠାରେ ଧଳାବାଘଙ୍କ ସଂଖ୍ୟା ୮। ୮ଟିରୁ ୩ଟି ଅଣ୍ଡିରା ଓ ୫ଟି ମାଈ। କଳାବାଘଙ୍କ ସଂଖ୍ୟା ହେଉଛି ୪ଟି। ସେମାନେ ସମସ୍ତେ ଅଣ୍ଡିରାବାଘ। ଆଜି ଜନ୍ମ ହୋଇଥିବା ଛୁଆ ଦୁଇଟିଙ୍କର ରଙ୍ଗ ଜଣାପଡ଼ି ନାହିଁ।

By amfnews

Related Post