Fri. Mar 6th, 2026

ନକଲି ଖଇନି କାରଖାନା ଠାବ, କିଙ୍ଗ୍‌ପିନ୍‌ ଫେରାର

313 Views

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଏକ ନକଲି ଖଇନି କାରଖାନା ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ନକଲି ଖଇନି ସହ ନକଲି ବ୍ରାଣ୍ଡ ଥିବା ଜରି ପ୍ୟାକେଟ୍‌ ଓ ମେସିନ୍ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଜଣକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ସହରରେ ଲଙ୍କେଶ୍ୱରୀ ଟୋବାକୋ କମ୍ପାନୀ ରହିଛି। ବନଦୁର୍ଗା ଟ୍ରେଡ୍‌ ମାର୍କ ଥିବା ଜରି ପ୍ୟାକେଟ୍‌ ବ୍ୟବହାର କରିବାକୁ ଏହା ଅନୁମତି ପାଇଛି। ତେବେ ଏହି କମ୍ପାନୀର ଅବିକଳ ଜରି ପ୍ୟାକେଟ୍‌କୁ ବ୍ୟବହାର କରି ବେପାର କରୁଥିଲା ନବରଙ୍ଗପୁର ସହରର ଇଚ୍ଛାବତୀଗୁଡ଼ାର ଏକ ଭଡ଼ା ଘରେ ଚାଲିଥିବା ନକଲି ଖଇନି କାରଖାନା। ଫଳରେ ଗତ କିଛି ମାସ ଧରି ପ୍ରକୃତ କମ୍ପାନୀର ବ୍ୟବସାୟ ମାନ୍ଦା ପଡ଼ିଯାଇଛି। ବିଶେଷକରି ନବରଙ୍ଗପୁର ଅଞ୍ଚଳରେ କମ୍ପାନୀର ବ୍ୟବସାୟ ବହୁତ କମି ଯାଇଛି। ଏଣୁ କମ୍ପାନୀକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ବ୍ୟବସାୟରେ ହଠାତ୍‌ ଏଭଳି ମାନ୍ଦାବସ୍ଥା ଦେଖି କମ୍ପାନୀର ମାଲିକ ସନ୍ତୋଷ କୁମାର ସାହୁ ନିଜେ ଖୋଳତାଡ଼ କରିଥିଲେ। ଏହି ସମୟରେ ସେ ନବରଙ୍ଗପୁରରେ ନକଲି ଖଇନି ପ୍ରସ୍ତୁତ ହେଉଥିବା ଖବର ପାଇଥିଲେ। ପରେ ସେ ଏ ସଂପର୍କରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ପୁଲିସ୍‌ ସହରର ଇଚ୍ଛାବତୀଗୁଡ଼ା ସ୍ଥିତ ଉକ୍ତ ନକଲି କାରଖାନା ଉପରେ ଗତକାଲି ରାତିରେ ଚଢ଼ଉ କରିଥିଲେ।

ସବୁଠୁ ରୋଚକ କଥା ହେଲା, ଉଭୟ ଅସଲି ଓ ନକଲି କମ୍ପାନୀର ମାଲିକଙ୍କ ନାମ ସମାନ। ଅର୍ଥାତ୍‌ ଉଭୟଙ୍କ ନାଁ ସନ୍ତୋଷ କୁମାର ସାହୁ। ଏହାର ଫାଇଦା ନେଇ ନକଲି କମ୍ପାନୀ ମାଲିକ ନିଜ ବେପାର ଜମାଇଥିଲେ। ଦୀର୍ଘଦିନ ଧରି ଏହି ନକଲି କାରଖାନା ଚାଲିଥିଲା ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଚଢ଼ଉ ସମୟରେ ସେଠାରୁ ଦୁଇଟି ମେସିନ୍‌, ବିପୁଳ ପରିମାଣର ନକଲି ଖଇନି ଓ ନକଲି ବ୍ରାଣ୍ଡ ଥିବା ଜରି ପ୍ୟାକେଟ୍‌ ସହ ଖଇନି ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଚଢ଼ଉ ସମୟରେ କାରଖାନା ମାଲିକ ଅନୁପସ୍ଥିତ ରହିଥିବା ବେଳେ ଜଣେ ଶ୍ରମିକଙ୍କୁ ପୁଲିସ୍ ଅଟକ ରଖିଛି। ଏହି ଘଟଣାର କିଙ୍ଗପିଙ୍ଗ୍ କୁହାଯାଉଥିବା ସନ୍ତୋଷ କୁମାର ସାହୁ ଓରଫ୍ ପିଙ୍କୁ ସାହୁକୁ ପୁଲିସ୍‌ ଗିରଫ କରିପାରି ନାହିଁ। ତାକୁ ଧରିବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

By amfnews

Related Post