Mon. Apr 21st, 2025

ଧାର୍ଯ୍ୟ ଲକ୍ଷ୍ୟଠାରୁ ୯ ମାସ ବିତିଗଲାଣି, ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ସରୁନି

By amfnews Oct 4, 2019 #Featured
178 Views

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହର ଉପକଣ୍ଠ ଶ୍ୟାମଗୁଡ଼ିଆ ଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଛି। କେବେ କାମ ହେଉଛି ତ କେବେ କାମ ବନ୍ଦ ପଡୁଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ୯ ମାସ ବିତି ଯାଇଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ କେବେ ସରିବ, ତା’ ନେଇ ବି ଅନିଶ୍ଚିତତା ଲାଗି ରହିଛି।

୨୦୧୬ ମସିହା ଡିସେମ୍ବର ମାସରେ ଏହି ଡାକ୍ତରଖାନା ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ଏଥିପାଇଁ ୧୧୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଯୋଜନ ଅନୁଯାୟୀ, ଏଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ମାତୃ ଓ ଶିଶୁ ମଙ୍ଗଳ କେନ୍ଦ୍ର ଏବଂ ସଂକ୍ରମକ ରୋଗ ଚିକିତ୍ସା କେନ୍ଦ୍ର କାର୍ଯ୍ୟ କରିବା ସହିତ ଏକ ରକ୍ଷଣାବେକ୍ଷଣ ବିଭାଗ ମଧ୍ୟ ରହିବ। ୧୦୦ ବେଡ୍‌ ବିଶିଷ୍ଟ ଏହି ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ୨୦୧୮ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ସରିବା କଥା। ହେଲେ କେତେବେଳେ ଶ୍ରମିକଙ୍କୁ ପାଉଣା ମିଳୁ ନଥିବାରୁ କାମ ବନ୍ଦ ରହୁଛି ତ ଆଉ କେତେବେଳେ ଅନ୍ୟ କେଉଁ କାରଣ ଯୋଗୁ କାମ ବନ୍ଦ ରହୁଛି।

ନିର୍ମାଣ କାମ କରୁଥିବା ଭୁବନେଶ୍ୱରର ଠିକା ସଂସ୍ଥା OATSର ଜଣେ ଅଧିକାରୀ କହିଛନ୍ତି, ମୂଳ ଠିକା ସଂସ୍ଥା EPIL ଦୀର୍ଘ ୬ ମାସ ହେଲା ସେମାନଙ୍କ ବିଲ୍ ଅଟକାଇ ରଖିଛି। ଫଳରେ ସେମାନେ ଶ୍ରମିକମାନଙ୍କୁ ମଜୁରୀ ଦେଇ ପାରୁ ନାହାନ୍ତି। ଅନ୍ୟପକ୍ଷରେ ଏଠାରେ ସୁରକ୍ଷା କର୍ମୀ ନିଯୁକ୍ତ କରିଥିବା ସିକ୍ୟୁରିଟି ଏଜେନ୍ସି ମଧ୍ୟ ସମାନ ଅଭିଯୋଗ ଆଣିଛି।

ଅଧର ମଳିକ ନାମକ ଜଣେ ଶ୍ରମିକ କହିଛନ୍ତି, “ତିନିମାସ ହେବ ଆମ ଦରମା ଦେଇ ନାହାନ୍ତି। ତେଣୁ କାମ ବନ୍ଦ ରହିଛି। ଦୁଇରୁ ଚାରି ଦିନ ଭିତରେ ଟଙ୍କା ଦେବେ ବୋଲି କହିଛନ୍ତି। ଟଙ୍କା ମିଳୁ ନାହିଁ ବୋଲି ଶ୍ରମିକମାନେ ପଳାଇ ଯାଉଛନ୍ତି।”

ସିକ୍ୟୁରିଟି ସଂସ୍ଥା ମୁଖ୍ୟ ସାୟଦଅଲ୍ଲୀ ଖାନ୍ କହିଛନ୍ତି, “ଆମ ସିକ୍ୟୁରିଟି କର୍ମଚାରୀମାନଙ୍କ ମେ’ ମାସର ଦରମା ଏଯାଏ ଦେଇ ନାହାନ୍ତି। ପ୍ରାୟ ୪ ଲକ୍ଷ ୭୫ ହଜାର ଟଙ୍କା ବାକି ରହିଛି।”

By amfnews

Related Post