Tue. Mar 10th, 2026

ଧର୍ମାନ୍ତରୀକରଣ ଅଭିଯୋଗ ନେଇ ଗାଁରେ ଉତ୍ତେଜନା: ଶବ ପୋତିଥିଲେ, ପୁଣି କୁଶପୁତ୍ତଳିକା ଦାହ କଲେ

214 Views

ଶୁଳିଆପଦା : ଗୋଟିଏ ପରିବାର ଧର୍ମ ପରିବର୍ତନ ନେଇ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ବଡ଼ଭାଲିଆ ପଞ୍ଚାୟତ କାଦକୁସୁମୀ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଏହି ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ସତ୍କାର ପାଇଁ ବନ୍ଧୁବାନ୍ଧବ କି ଗ୍ରାମବାସୀ; କେହି ଆସିନଥିଲେ। ନୂଆ ଧର୍ମ ଅନୁସାରେ ଗତକାଲି ସଂପୃକ୍ତ ପରିବାର ଲୋକ ଶବ ସତ୍କାର କରିଥିଲେ। ପରେ ବିରୋଧ ହେବାରୁ ଆଜି ମୃତକଙ୍କ କୁଶପୁତ୍ତଳିକା ତିଆରି କରି ପୁଣି ହିନ୍ଦୁ ଧର୍ମ ଅନୁସାରେ ଦାହ କର୍ମ କରାଯାଇଛି।

ସୂଚନା ମୁତାବକ; ଗ୍ରାମର ଧାନ ମାରାଣ୍ଡି (୫୦) ଗତ ୨ ମାସ ହେବ ଅସୁସ୍ଥ ଥିଲେ। ତାଙ୍କର କିଡ୍‌ନି ସମସ୍ୟା ଥିବା ବେଳେ ଅର୍ଥ ଅଭାବରୁ କବିରାଜି ଚିକିତ୍ସା କରାଯାଉଥିଲା। ଏନେଇ ଖବର ପାଇବା ପରେ ଗତ ଶନିବାର ଦିନ କିଛି ଅନ୍ୟ ଧର୍ମାବଲମ୍ବୀ ଆସି ତାଙ୍କ ଆରୋଗ୍ୟ ପାଇଁ ରାତିସାରା ପ୍ରାର୍ଥନା କରିଥିଲେ। ହେଲେ ରବିବାର ଦିନ ଧାନଙ୍କ ପରଲୋକ ହୋଇଯାଇଥିଲା। ପରେ ଶବ ସତ୍କାର ପାଇଁ ଗ୍ରାମବାସୀଙ୍କୁ ଖବର ଦିଆଯାଇଥିଲା। ହେଲେ ଅନ୍ୟ ଧର୍ମର ଲୋକ ତାଙ୍କ ଘରେ ଥିବାରୁ ସେମାନେ ଶବ ସତ୍କାର କରିବାରେ ସହଯୋଗ ଦେବାକୁ ମନା କରିଥିଲେ। ଏମିତି କି ମୃତକଙ୍କ ବନ୍ଧୁବାନ୍ଧବମାନେ ପହଂଚିଥିଲେ ମଧ୍ୟ ଘର ଭିତରକୁ ଯାଇନଥିଲେ। ଫଳରେ ଗତକାଲି ଅନ୍ୟ ଧର୍ମ ପରମ୍ପରା ଅନୁସାରେ ଧାନଙ୍କ ଶବକୁ ପୋତି ଦିଆଯାଇଥିଲା। ତେ‌ବେ ଆଜି ବିଧିବଦ୍ଧ ଭାବେ ଧର୍ମାନ୍ତରୀକରଣ ପାଇଁ ମୃତକଙ୍କ ଘରେ ଟେଣ୍ଟ ବନ୍ଧା ଯାଇଥିଲା। ହେଲେ ଗାଁ ମୁଖିଆ ଓ ଅନ୍ୟମାନେ ଏହାକୁ ବିରୋଧ କରିଥିଲେ। ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତା ମଧ୍ୟ ଗ୍ରାମରେ ପହଞ୍ଚିଥିଲେ। ଫଳରେ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ମଧ୍ୟ ପହଞ୍ଚିଥିଲା। ତେବେ ଶବକୁ ଅନ୍ୟ ଧର୍ମ ଅନୁସାରେ ପୋତା ଯାଇଥିବା ବେଳେ ଏହାକୁ କେହି ଗ୍ରହଣ କରିନଥିଲେ। ନିଜ ପରମ୍ପରା ଅନୁସାରେ ଶବ ସତ୍କାର କରିବାକୁ ବାଧ୍ୟ କରାଯାଇଥିଲା। ଫଳରେ ଏକ କୁଶପୁତ୍ତଳିକା ତିଆରି କରି ବିଧି ଅନୁସାରେ ତାକୁ ଶ୍ମଶାନ ନିଆଯାଇ ପୋଡ଼ାଯାଇଥିବା ଜଣାପଡ଼ିଛି।

By amfnews

Related Post