Sun. Mar 8th, 2026

ଧରାପଡ଼ିଲା ସ୍ଥାନୀୟ ଲୁଟେରା ଗ୍ୟାଙ୍ଗ୍‌, ୫ ଗିରଫ, ମାଷ୍ଟର ମାଇଣ୍ଡ୍‌ ବିଟେକ୍‌ ଛାତ୍ର

280 Views

ଖଣ୍ଡଗିରି, ଡିସେମ୍ବର ୨୦ : ଲୁଟ୍‌ପାଟ୍‌ କରିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ଏକ ୪ ଜଣିଆ ଲୋକାଲ୍‌ ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବ‌ାରେ ସଫଳ ହୋଇଛି। ସେମାନେ ହେଲେ, ଘାଟିକିଆର କିଷାନ୍ ମାଝୀ(୨୪), ଅଭୟ ଦେହୁରି(୨୨), ଅମିତ୍‌ ନାଏକ(୨୩), କେନ୍ଦୁଝର ହରିଚନ୍ଦନପୁର ନୂଆଗାଁର ଲୋକନାଥ ନାୟକ(୨୫) ଓ ଜଟଣୀ ରଘୁନାଥନଗରର ସତୀଶ ସୁବୁଦ୍ଧି(୨୮)। ଲୋକନାଥ ଏକ ଘରୋଇ ଇଂଜିନିୟରିଂ କଲେଜରୁ ବି.ଟେକ୍‌ ପାସ୍‌ ଆଉଟ୍‌ ଛାତ୍ର ଓ ସେ ହିଁ ଏହି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ। ସତୀଶ ଏହି ଗ୍ୟାଙ୍ଗ୍‌ର ସଦସ୍ୟ ହୋଇନଥିଲେ ମଧ୍ୟ ଏମାନଙ୍କଠାରୁ ଏକ ଚୋରା ବୁଲେଟ୍‌ କିଣି ଗିରଫ ହୋଇଛି। ପୁଲିସ ଏମାନଙ୍କଠାରୁ ୨ଟି ବାଇକ୍‌ ଓ ଗୋଟିଏ ଟାଟା ଏସି ଗାଡ଼ି ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ, ଗତ ୧୩ ତାରିଖ ସନ୍ଧ୍ୟାରେ କଳିଙ୍ଗବିହାର ସମ୍ ହସ୍ପିଟାଲ ରାସ୍ତାରେ ଘାଟିକିଆ ଗାଁର ପ୍ରଶାନ୍ତ ରଥ ଲୁଟ୍‌ର ଶିକାର ହୋଇଥିଲେ। ବିପୁଲ୍ ଗାର୍ଡେନ୍‌ ଛକରେ ଏକ ନିଛାଟିଆ ସ୍ଥାନରେ ୩ଜଣ ତାଙ୍କୁ ଆକ୍ରମଣ କରି ତାଙ୍କ ବଜାଜ୍ ଡିସ୍କଭର୍‌ ବାଇକ୍‌କୁ ଲୁଟି ନେଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ଲୋକେ ରାସ୍ତାରେ ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାନ୍‌ଭିନ୍ କରି ପୁଲିସ ଏହି ଲୋକାଲ୍ ଗ୍ୟାଙ୍ଗ୍‌ ବାବଦରେ ସୂଚନା ପାଇଥିଲା।

୫ ହଜାର ଟଙ୍କାରେ ବୁଲେଟ୍‌ କିଣି କିଙ୍ଗ୍‌ ବନିଥିଲା ସତୀଶ

ଜଟଣୀର ସତୀଶ ଏହି ଗ୍ୟାଙ୍ଗ୍‌ଠାରୁ ମାତ୍ର ୫ ହଜାର ଟଙ୍କାରେ ବୁଲେଟ୍‌ କିଣିଥିଲା। ବିନା ନମ୍ବରରେ ସେ ବୁଲେଟ୍‌ରେ ‘କିଙ୍ଗ୍‌’ ବୋଲି ଲେଖି ଚଢ଼ୁଥିଲା। ଏହି ଗାଡ଼ିକୁ ଲୁଟେରାମାନେ ଭରତପୁର ଜିଏ ପ୍ଲଟ ଅଞ୍ଚଳରୁ ଗତ ମାସରେ ଚୋରି କରି ନେଇଥିଲେ। ଗ୍ୟାଙ୍ଗ୍‌ର ଅମିତ ନାଏକ ଜଣେ ଡ୍ରାଇଭର ଓ କିଷାନ୍ ମାଝୀ ଜଣେ ସିକ୍ୟୁରିଟି ଗାର୍ଡ। ଦୁଇ ମାସ ପୂର୍ବେ ଏମାନେ ଖଣ୍ଡଗିରି ଭୂତଳ ଜଳ ଭବନ ନିକଟରୁ ଏକ ଟାଟା ଏସି ଗାଡ଼ି ଚୋରି କରି ବୌଦ୍ଧରେ ବିକ୍ରି କରି ଦେଇଥିଲେ। ଆଜି ଖଣ୍ଡଗିରି ଥାନାର ଏକ ପୁଲିସ ଟିମ୍‌ ବୌଦ୍ଧ ଯାଇ ଏହି ଗାଡ଼ିକୁ ଜବତ କରିଛି।

By amfnews

Related Post