Sun. Mar 8th, 2026

ଧରା ପକାଇଲା ମନିପର୍ସ; ପୁଲିସ୍‌ କବଜାରେ କନଷ୍ଟେବଳ ଜିତେନ୍ଦ୍ର ସେଠୀ

181 Views

ପୁରୀ : ଧର୍ମକ୍ଷେତ୍ର ପୁରୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଳ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଏଥିସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।  କୁମ୍ଭାରପଡ଼ା ପୁଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି। ଅନ୍ୟପକ୍ଷରେ ପୁଲିସ୍ ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରିଛି। ଏହି ଘଟଣା ସମ୍ପର୍କରେ ଡିଆଇଜି ଆଶିଷ କୁମାର ସିଂହ କହିଛନ୍ତି,“ ଘଟଣାର ତଦନ୍ତ ଜାରି ରହିଛି। ଆଉ ଯିଏ ବି ସଂପୃକ୍ତ ଥିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ”

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ନ ୨ଟାବେଳେ ସେ ନିମାପଡ଼ା ବସଷ୍ଟାଣ୍ଡରେ କାକଟପୁର ଯିବା ଲାଗି ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ କାର୍‌ରୁ ଓହ୍ଲାଇ ଜିତେନ୍ଦ୍ର ନିଜକୁ ପୁଲିସ୍‌ ପରିଚୟ ଦେଇଥିଲେ। ଏହାପରେ ପୀଡିତାଙ୍କୁ ଗାଁରେ ଛାଡ଼ି ଦେବାକୁ କହି ଗାଡ଼ିରେ ପୁରୀ ନେଇ ଆସିଥିଲେ। ପରେ ପୁରୀ ଝାଡ଼େଶ୍ୱରୀ କ୍ଲବ୍ ନିକଟ ଏକ ସରକାରୀ କ୍ୱାର୍ଟର୍ସରେ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ମିଶି ଗଣଦୁଷ୍କର୍ମ କରିଥିଲେ। ଦୁଇ ଜଣ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ଦୁଇ ଜଣ ବାହାରୁ କବାଟ ଦେଇ ପଳାଇଥିଲେ।

ପୀଡ଼ିତା ଜଣକ କୌଶଳ କ୍ରମେ ଅଭିଯୁକ୍ତ ଜିତେନ୍ଦ୍ରର ମନିପର୍ସ ହାତେଇବା ପରେ ତାଙ୍କର ପରିଚୟ ମିଳିଥିଲା। ଜିତେନ୍ଦ୍ର ନାଁରେ ଆଗରୁ ମଧ୍ୟ ବହୁ ମାମଲା ଅଛି। ଚାକିରି କ୍ଷେତ୍ରରେ ନିଜର ଆଚରଣ ଲାଗି ତାଙ୍କ ସର୍ଭିସ ବୁକ୍‌ରେ ୯ଟି କଳା ଦାଗ ଲାଗିଥିଲ। ଗତ ଫେବୃଆରୀରେ ତତ୍‌କାଳୀନ ଏସ୍‌ପି ଜିତେନ୍ଦ୍ରକୁ ଚାକିରିରୁ ବହିଷ୍କାର କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଚାକିରି ଫେରି ପାଇଥିଲେ।

By amfnews

Related Post