Sat. Nov 23rd, 2024

ଦ୍ୱାଦଶ ଶ୍ରେଣୀ ଛାତ୍ର ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅକୁ ଦେଇଥିଲା ଧମକ, ଗିରଫ କଲା ପୋଲିସ

By amfnews Oct 12, 2020 #Featured
195 Views

ଅହମଦାବାଦ, ଅକ୍ଟୋବର ୧୨ : ଇଣ୍ଡିଆନ ପ୍ରିମିୟର ଲିଗରେ ମହେନ୍ଦ୍ର ସିଂହ ଧୋନୀ ଖରାପ ପ୍ରଦର୍ଶନ ପରେ ସାମାଜିକ ଗଣମାଧ୍ୟମରେ ତାଙ୍କର ୫ ବର୍ଷର ଝିଅକୁ ଧମକ ଦିଆଯାଇଥିଲା । ଏହା ପରେ ପ୍ରଶଂସକ ବହୁ ବିରକ୍ତି ପ୍ରକାଶ କରିଥିଲେ । ପ୍ରଶଂସକମାନେ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ ଦାବି କରିଥିଲେ । ଏବେ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ଯେ ଧମକ ଦେଇଥିବା ୧୬ ବର୍ଷିଅ ଯୁବକ ଗୁଜୁରାଟର ମୁନ୍ଦ୍ରାରେ ଗିରଫ ହୋଇଛି । ଗଣମାଧ୍ୟମକୁ ପୋଲିସ ଏହି ସୂଚନା ଦେଇଛି ।

ପୋଲିସ ଅଧିକ୍ଷକ ସୌରଭ ସିଂହ କହିଛନ୍ତି ଦ୍ୱାଦଶ ଶ୍ରେଣୀର ଛାତ୍ର ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀଙ୍କ ଇନଷ୍ଟାଗ୍ରାମରେ କିଛି ଦିନ ପୂର୍ବରୁ ପୋଷ୍ଟ ହୋଇଥିବା ଧମକ ବାର୍ତ୍ତା ସଂପର୍କରେ ପଚରାଉଚରା କରିବା ଲାଗି ହାଜତରେ ରଖିଛି । ଅଭିଯୁକ୍ତକୁ ରାଞ୍ଚି ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି ।

ପୋଲିସ କହିଛି ଏହି ଯୁବକ ସ୍ୱୀକାର କରିଛି ଯେ, କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ ମ୍ୟାଚ ପରେ ଇନଷ୍ଟାଗ୍ରାମରେ ଧମକ ବାର୍ତ୍ତା ସଂପର୍କିତ ପୋଷ୍ଟ କରିଥିଲା ।

ସୂଚନାଯୋଗ୍ୟ, ଆଇପିଏଲ-୨୦୨୦ରେ ଅକ୍ଟୋବର ୭ ତାରିଖରେ ଆବୁଧାବୀସ୍ଥିତ ଶେଖ ଜୟେଦ ଷ୍ଟାଡିୟମରେ ଚେନ୍ନାଇକୁ କୋଲକାତା ୧୦ ରନରେ ପରାସ୍ତ କରିଥିଲା । ଏହା ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଝିଅକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲା ଅଭିଯୁକ୍ତ ଯୁବକ ।

By amfnews

Related Post