Sat. Mar 7th, 2026

ଦେଓଧର ଟ୍ରଫି: ଇଣ୍ଡିଆ-ସି ଟିମ୍‌ରେ ସାମିଲ ହେଲେ ଓଡ଼ିଶାର ପପ୍ପୁ ରାୟ

227 Views

ଭୁବନେଶ୍ୱର: ଓଡ଼ିଶାର ବାମହାତୀ ବୋଲର ପପ୍ପୁ ରାୟ ଦେଓଧର ଟ୍ରଫି ପାଇଁ ଇଣ୍ଡିଆ-ସି ଟିମ୍‌ରେ ସାମିଲ ହୋଇଛନ୍ତି। ୫୦ ଓଭର ବିଶିଷ୍ଟ ଦେଓଧର ଟ୍ରଫି ଟୁର୍ଣ୍ଣାମେଣ୍ଟ ଜାତୀୟ ରାଜଧାନୀ ଦିଲ୍ଲୀରେ ଆଗାମୀ ଅକ୍ଟୋବର ୨୩ରୁ ଆରମ୍ଭ ହେବ। ଚଳିତ ବିଜୟ ହଜାରେ ଟ୍ରଫିରେ ପପ୍ପୁ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଦେଓଧର ଟ୍ରଫି ପାଇଁ ଚୟନ କରାଯାଇଛି। ବର୍ତ୍ତମାନ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ସେ ୮ଟି ମ୍ୟାଚ ଖେଳି ୧୪ଟି ଓ୍ଵିକେଟ ନେଇଛନ୍ତି। ଆଠଟି ମ୍ୟାଚରେ ପପ୍ପୁ ୧୮.୪୨ ହାରରେ ଓ୍ଵିକେଟ ନେଇଛନ୍ତି।

ଦେଓଧର ଟ୍ରଫିରେ ସ୍ଥାନ ପାଇବାକୁ ହେଲେ ସେଭଳି ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିଥାଏ, ଯାହାକି ପପ୍ପୁ ରାୟ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଇଣ୍ଡିଆ-ସି ଟିମ ଦେଓଧର ଟ୍ରଫି ଖେଳିବ। ଇଣ୍ଡିଆ-ସି ଟିମ୍‌ରେ ସୁରେଶ ରାଇନା, ଅଭିନବ ମୁକୁନ୍ଦ, ବିଜୟ ଶଙ୍କର ଓ ଓ୍ଵାସିଙ୍ଗଟନ୍‌ ସୁନ୍ଦରଙ୍କୁ ମଧ୍ୟ ସାମିଲ କରାଯାଇଛି। ପପ୍ପୁଙ୍କୁ ଇଣ୍ଡିଆ-ସି ଟିମ୍‌ରେ ସ୍ଥାନ ମିଳିବା ପରେ ଓଡ଼ିଶାର କ୍ରୀଡ଼ାପ୍ରେମୀ ମହଲରେ ଖୁସିର ଲହରି ଖେଳି ଯାଇଛି।

By amfnews

Related Post