Sun. Jun 8th, 2025

ଦୂର ହେଉନି ସମସ୍ୟା, ପୁଣି ୫ କିମି ଖଟିଆରେ ବୁହାହେଲେ ପ୍ରସୂତି

By amfnews Jul 17, 2018 #Featured
230 Views

କଳାହାଣ୍ଡି, ଜୁଲାଇ ୧୮ : ଯୁଗ ଯାଇ କେଉଁଠି ହେଲାଣି। କିନ୍ତୁ ଏବେ ବି ଜନନୀ ଯନ୍ତ୍ରଣା ଥମିବାର ନାଁ ଧରୁନି। ବାରମ୍ବାର ଏହି ଘଟଣା ଲୋକଲୋଚନକୁ ଆସୁଥିଲେ ମଧ୍ୟ ସରକାର ଓ ପ୍ରଶାସନ ଉଭୟ ଚୁପ। ନା ଗାଁକୁ ରାସ୍ତା ହେଉଛି ନା ସମସ୍ୟାର ସମାଧାନ। ଏହି ମର୍ମରେ ଆଜି ପୁଣି କଳାହାଣ୍ଡି ଜିଲ୍ଲାରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଅନ୍ୟ କିଛି ଉପାୟ ନପାଇ ଖଟିଆରେ ବୁହା ହୋଇଛନ୍ତି ପ୍ରସୂତି। ରାସ୍ତା ନଥିବାରୁ ଏପରି ଯନ୍ତ୍ରଣା ଭୋଗିବାକୁ ପଡ଼ିଛି ଜଣେ ପ୍ରସୂତିଙ୍କୁ। ଗୋଟିଏ କି ଦୁଇ କିଲୋମିଟର ନୁହଁ, ୫ କିମି ତାଙ୍କୁ ଏକ ଖଟିଆରେ ଶୁଆଇ କାନ୍ଧରେ ବୋହିଛନ୍ତି ଗ୍ରାମବାସୀ।

ଥୁଆମୂଳ-ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ତେନ୍ତୁଳିପଦର ବଲାଙ୍ଗି ଗାଁର ପ୍ରସୂତି ମିଥିଲା ମାଝିଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକ ପାଖ ଡାକ୍ତରଖାନା ନେବା ପାଇଁ ଚିନ୍ତା କରିଥିଲେ। କିନ୍ତୁ ଗ୍ରାମକୁ ସଡକ ନଥିବାରୁ ଚିନ୍ତାଶୂନ୍ୟ ହୋଇଯାଇଥିଲେ ଗ୍ରାମବାସୀ ଓ ପରିବାର ଲୋକ। ଶେଷରେ ଉପାୟଶୂନ୍ୟ ହୋଇ ଖଟିଆରେ ପ୍ରସୂତିଙ୍କୁ ବୋହି ନେଇଥିଲେ। ଖଟିଆରେ ଶୋଇ ପ୍ରସୂତି ଯନ୍ତ୍ରଣା ଭୋଗ କରୁଥିଲେ ମଧ୍ୟ ଶୀଘ୍ର ମେଡିକାଲ ପହଞ୍ଚାଇବା ପାଇଁ ଅନ୍ୟ କୌଣସି ଉପାୟ ନଥିଲା। ଶେଷରେ ୫ କିଲୋମିଟର ଭାରରେ ବୁହା ହୋଇ ଆସିବା ପରେ ବଡଛତରଙ୍ଗ ଠାରୁ ୧୦୨ ଆମ୍ବୁଲାନ୍ସରେ ଥୁଆମୂଳ-ରାମପୁର ହସ୍ପିଟାଲକୁ ପ୍ରସୂତିଙ୍କୁ ପହଞ୍ଚା ଯାଇଥିଲା । ତେବେ ପ୍ରସୂତିଙ୍କ ସ୍ଥିତି ଗମ୍ଭୀର ହେବା ପରେ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଏହା ପ୍ରାୟ ସବୁ ଦିନର କଥା । ଗାଁକୁ ରାସ୍ତା ନଥିବାରୁ ମୁଖ୍ୟ ସଡକ ବଡଛତରଙ୍ଗ ପର୍ଯ୍ୟନ୍ତ ପାଖାପାଖି ୫ କିଲୋମିଟର ରୋଗୀଙ୍କୁ ଭାରରରେ ବୋହି ଆଣିବାକୁ ପଡ଼ିଛି। ବିରିକୋଟ ନୂତନ ପଞ୍ଚାୟତ ଭାବେ ଗଠନ ହୋଇଥିବା ବେଳେ ପଞ୍ଚାୟତକୁ ଯୋଗାଯୋଗ କରିବା ପାଇଁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା ସେମାନେ କହିଛନ୍ତି। ପ୍ରଶାସନ ନିକଟରେ ସେମାନେ ଏହାର ସମାଧାନ ବା ଗ୍ରାମବାସୀକୁ ରାସ୍ତା ସଂଯୋଗ କରିବା ପାଇଁ ଦାବି କରିଛନ୍ତି।

By amfnews

Related Post