Tue. Dec 24th, 2024

ଦୁଷ୍କର୍ମ ପୀଡିତା ନିଜ ବୟାନ ବଦଳାଇଲେ ତାଙ୍କ ବିରୁଦ୍ଧରେ ଚାଲିବ ମୋକଦ୍ଦମା: ସୁପ୍ରିମ କୋର୍ଟ

By amfnews Sep 30, 2018 #Featured
190 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦ : ୧୪ ବର୍ଷ ଧରି ଚାଲୁଥିବା ଏକ ପୁରୁଣା ମାମଲାରେ ବିଚାର କରିବା ସମୟରେ ସୁପ୍ରିମ କୋର୍ଟ ନିଷ୍ପତି ନେଇଛନ୍ତି ଯେ, ଯଦି କୌଣସି ମାମଲାରେ ଦୁଷ୍କର୍ମ ପୀଡିତା ଦୋଷୀ ସହ ବୁଝାମଣା କରି ତାକୁ ରକ୍ଷା କରିବା ପାଇଁ ନିଜ ବୟାନ ବଦଳାଇ ଦିଏ ତେବେ ପୀଡିତାଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିବ ।

ସୂଚନାନୁଯାୟୀ, ଏହି ମାମଲାରେ ଜଷ୍ଟିସ୍ ରଞ୍ଜନ ଗୋଗେଇ, ଜଷ୍ଟିସ୍ ନବୀନ ସିହ୍ନା, ଜଷ୍ଟିସ୍ କେଏମ୍ ଜୋଶେଫଙ୍କର ଏକ ଖଣ୍ଡପୀଠରେ ଏହି ରାୟ ଶୁଣାଇଛନ୍ତି । ସଂପୃକ୍ତ ମାମଲାରେ ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ଦିଆଯାଇଛି । ୨୦୦୪ରେ ୯ବର୍ଷର ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିଲା । ଫଳରେ ପୀଡିତାର ମା ଏଫଆଇଆର ରୁଜୁ କରିଥିଲେ । ମେଡିକାଲ ରିପୋର୍ଟ ଆଧାରରେ ଦୋଷୀକୁ ଗିରଫ କରାଯାଇ ଥିଲା । କିନ୍ତୁ କେବଳ ୬ ମାସ ମଧ୍ୟରେ ପୀଡିତା ଏବଂ ମୁଖ୍ୟ ସାକ୍ଷୀ ନିଜ ବୟାନ ବଦଳାଇ ଥିଲେ । ଏହାପରେ ଟ୍ରାୟାଲ କୋର୍ଟ ଦୋଷୀକୁ ମୁକ୍ତ କରି ଦେଇଥିଲେ ।

କିନ୍ତୁ ପରେ ଗୁଜୁରାଟ ହାଇକୋର୍ଟ ଏହି ମାମଲାକୁ ବଦଳାଇବା ପରେ ଦୋଷୀକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିଥିଲା । କିନ୍ତୁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । ପୀଡିତଙ୍କ ପରିବାର ଗରୀବ ହୋଇଥିବା କାରଣରୁ ତାଙ୍କୁ ବୟାନ ବଦଳାଇବା ପାଇଁ ବାଧ୍ୟ କରାଯାଇ ଥିଲା ବୋଲି କୁହାଯାଉଛି ।

ଶୀର୍ଷ ଅଦାଲତଙ୍କ କହିବା ଅନୁଯାୟୀ, ସତ୍ୟକୁ ସାମ୍ନାକୁ ଆଣିବା ହେଉଛି କ୍ରିମିନାଲ ଟ୍ରାୟାଲର ଉଦ୍ଦେଶ୍ୟ । ନିଜ ବୟାନରୁ ସମ୍ପୂର୍ଣ୍ଣ ଓଲଟି ଯିବାକୁ କାହାକୁ ଅନୁମତି ଦିଆ ଯାଇ ନାହିଁ । ଯଦି ପୀଡିତା ନିଜ ବୟାନ ପରିବର୍ତନ କରେ ତେବେ ନ୍ୟାୟ ବ୍ୟବସ୍ଥା ପ୍ରତି ପରିହାସ ସଦୃଶ ହେବ । ତେଣୁ ମେଡିକାଲ ରିପୋର୍ଟ ବ୍ୟତୀତ ଅନ୍ୟ କୌଣସି ଆଧାରରେ କ୍ଲୀନ ଚିଟ୍ ଦିଆଗଲେ ପୀଡିତାଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିବ । ଏହି ଘଟଣା ୧୪ ବର୍ଷ ପୁରୁଣା ହୋଇଥିବା କାରଣରୁ ପୀଡିତାଙ୍କୁ ଛାଡି ଦିଆ ଯାଇଥିଲା ।

By amfnews

Related Post