Sat. Jan 11th, 2025

ଦୁର୍ବୁତ୍ତଙ୍କ ଗୁଳିମାଡରେ RSP କର୍ମଚାରୀ ମୃତ

By amfnews Dec 28, 2018 #Featured
139 Views

ରାଉରକେଲା, ୨୮ା୧୨ : ଖୁବ୍ କମ୍ ଦିନର ବ୍ୟବଧାନ ପରେ ପୁଣି ଇସ୍ପାତ ସହରରେ ଫୁଟିଛି ଗୁଳି । ଏହି ଗୁଳିରେ ଟଳି ପଡିଛନ୍ତି ଜଣେ ଆର୍ଏସ୍ପି କର୍ମଚାରୀ ନୃସିଂହ ସାହୁ । ଶ୍ରୀ ସାହୁ ଆର୍ଏସ୍ପି ଷ୍ଟିଲ୍ ମେଲ୍ଟିଂ ସପ୍-୧ର ଅପରେଟର ଭାବେ କାମ କରନ୍ତି । ସେକ୍ଟର-୧ ଡି-ବ୍ଲକ୍ ୧୪୮ରେ ରହୁଛନ୍ତି ପରିବାର ସହ । ଋଣ ଟଙ୍କା ନେଣଦେଣକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ଦୁଇ ଜଣ ଦୁର୍ବୁତ୍ତ ତାଙ୍କ ଘରେ ପଶି ଶ୍ରୀ ସାହୁ (୫୦)ଙ୍କ ମୁଣ୍ଡକୁ ଗୁଳି ମାରିଥିଲେ । ଗୁଳି ମାଡ ଖୁବ୍ ନିକଟରୁ ହୋଇଥିବାରୁ ଗୁଳି ଶ୍ରୀ ସାହୁଙ୍କ ମୁଣ୍ଡା ପାର୍ କରି ବାହାରି ଯାଇଛି ।

ଗତକାଲି ସନ୍ଧ୍ୟାରେ ଶ୍ରୀ ସାହୁ ଘରର ଡ୍ରଇଁ ରୁମ୍ରେ ବସିଥିଲେ । ଏହି ସମୟରେ ଗୋଟିଏ ବାଇକ୍ରେ ଆସି ୨ ଜଣ ଦୁର୍ବୁତ୍ତ ତାଙ୍କ ନିକଟରେ ପହଞ୍ôଚ ଟଙ୍କା ଆଦାୟ ସମ୍ପର୍କରେ ଆଲୋଚନା କରିଥିଲେ । କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବାସ୍ ଏତିକି କଥାରେ ଦୁର୍ବୁତ୍ତମାନେ ଶ୍ରୀ ସାହୁଙ୍କୁ ଖୁବ୍ ନିକଟରୁ ଗୁଳି ମାଡ କରିଥିଲେ । ଗୁଳି ଶବ୍ଦ ଶୁଣି ଅନ୍ୟ କୋଠରୀରେ ଥିବା ସଦସ୍ୟମାନେ ତୁରନ୍ତ ଡ୍ରଇଁ ରୁମ୍କୁ ଦୌଡି ଆସିଥିଲେ । କିନ୍ତୁ ସେତେବେଳକୁ ଦୁଇ ଦୁର୍ବୁତ୍ତ ଫେରାର୍ ହୋଇଯାଇଥିଲେ । ଗୁଳିମାଡ ଦ୍ୱାରା ଶ୍ରୀ ସାହୁ ଘଟଣାସ୍ଥଳରେ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ଆଇଜିଏଚ୍କୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗୁଳି ମାଡ ସମ୍ପର୍କରେ ଖବର ପାଇ ରାଉରକେଲା ଏସ୍ପି ଡ.ଉମାଶଙ୍କର ଦାଶ ଘଟଣାସ୍ଥଳରେ ପହଞ୍ôଚ ଖାନତଲାସ ଆରମ୍ଭ କରିଛନ୍ତି । ତେବେ ଋଣ ଟଙ୍କା ଆଦାୟକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ପୁଲିସ ସୂଚନା ଅନୁଯାୟୀ ଶ୍ରୀ ସାହୁ ଜଣେ ବ୍ୟକ୍ତିଙ୍କ ଠାରୁ ଋଣ ଆଣିଥିଲେ । ଉକ୍ତ ଋଣ ଟଙ୍କା ପରିଶୋଧ ପାଇଁ ବ୍ୟକ୍ତି ଜଣକ ବାରମ୍ବାର କହୁଥିଲେ ମଧ୍ୟ ଟଙ୍କା ଫେରି ପାଇନଥିଲେ । ଦୁଇଦିନ ତଳେ ସମ୍ପୃକ୍ତ ବ୍ୟକ୍ତି ଶ୍ରୀ ସାହୁଙ୍କ ଘରକୁ ଯାଇ ଟଙ୍କା ଫେରାଇବାକୁ କହିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେତେବେଳେ ଟଙ୍କା ନ ଫେରାଇଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ଜଣାପଡିଛି । ତେଣୁ ଏହି ଟଙ୍କା ନେଣଦେଣକୁ ନେଇ ଗୁଳିକାଣ୍ଡ ଘଟିଥାଇପାରେ ବୋଲି କୁହାଯାଉଛି ।

By amfnews

Related Post