Wed. Jan 15th, 2025

ଦୁର୍ଗାଷ୍ଟମୀରେ ପୁରୁଷ ବିଶ୍ୱକପ୍ ହକିର ପ୍ରମୋ ଉଦ୍ଘାଟିତ

By amfnews Oct 16, 2018 #Featured
128 Views

ରାଉରକେଲା, ୧୬ା୧୦  : ମା’ଙ୍କ ଆଗମନକୁ ନେଇ ସମଗ୍ର ଧରାପୃଷ୍ଠ ଚଳଚଞ୍ଚଳ ହୋଇପଡିଛି । ଓଡିଶାରେ କଟକ ପରେ ରାଉରକେଲା ଦୁର୍ଗାପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଚଳିତ ବର୍ଷ ଓଡିଶା ୧୪ତମ ପୁରୁଷ ବିଶ୍ୱକପ୍ ହକିର ଆୟୋଜନ କରିବାକୁ ଯାଉଛି ଓ ଏହି ଖେଳ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ଏହି ମ୍ୟାଚ୍ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଛି । ୧୬ଟି ଦଳ ଏହି ବିଶ୍ୱକପ୍ ହକି ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ବାହାର ଦେଶର ଖେଳାଳୀଙ୍କୁ ଅଭ୍ୟର୍ଥନା ଠାରୁ ଆରମ୍ଭ ସମସ୍ତ ପ୍ରକାର ଆତିଥେୟତା ପ୍ରଦାନ ପାଇଁ ଓଡିଶାବାସୀ ଚାହିଁ ବସିଛନ୍ତି । ବିଶ୍ୱକପ୍ ହକିର ପ୍ରଚାର ଓ ପ୍ରସାର ପାଇଁ ସବୁଠାରେ ବ୍ୟାପକ ଆୟୋଜନ ହେଉଛି ।

ଟିକେଟ୍ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି । ହକିର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡର ରାଉରକେଲା ଠାରେ ଏକ ପ୍ରଦର୍ଶନୀ ମ୍ୟାଚ୍ ନଭେମ୍ବର ୪ ତାରିଖ ଦିନ ଅଷ୍ଟ୍ରେଲିଆ ଏକାଦଶ ଓ ଓଡିଶା ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ । ହକି ବିଶ୍ୱକପ୍ର ପ୍ରମୋସନକୁ ନେଇ ଏକ ନୂତନ ଥିମ୍ରେ ଚଳିତ ବର୍ଷ ସେକ୍ଟର-୭ ଦୁର୍ଗାପୂଜା କମିଟି କଳିଙ୍ଗ ଷ୍ଟାଡିୟମର ଅବିକଳ ପେଣ୍ଡାଲ କରାଯାଇଛି, ଯାହା ରାଉରକେଲାବାସୀଙ୍କୁ ହକି ବିଶ୍ୱକପ୍ର ବାର୍ତ୍ତା ଦେବ । ଏହି ମର୍ମରେ ଆସନ୍ତା ଦୁର୍ଗାଷ୍ଟମୀ ୧୭ ତାରିଖ ସନ୍ଧ୍ୟାରେ ଏହି ହକି ବିଶ୍ୱକପ୍ର ପ୍ରମୋ ଉଦ୍ଘାଟନ ହେବ ।

ଏହି ଅବସରରେ ଓଡିଶାର ପ୍ରଖ୍ୟାତ ଖେଳାଳୀବୃନ୍ଦ ଯେଉଁମାନେ ଆନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରତିପାଦନ କରିଛନ୍ତି ସେମାନେ ଉପସ୍ଥିତ ରହିବେ । ଉପସ୍ଥିତ ଅତିଥିବୃନ୍ଦଙ୍କ ମଧ୍ୟରେ ପୂର୍ବତନ ଭାରତୀୟ ହକି ଦଳର କ୍ୟାପଟେନ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପ୍ରବୋଧ ତିର୍କୀ, ଅଲମ୍ପିୟାନ ତଥା ବରିଷ୍ଠ ହକି ଖେଳାଳୀ ମାଇକେଲ୍ କିଣ୍ଡୋ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିସାନ, ରାଉରକେଲା ବିଧାୟକ ଦିଲ୍ଲୀପ ରାୟ, ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ସମେତ ପାନପୋଷ ସ୍ପୋର୍ଟସ୍ ଛାତ୍ରାବାସର ସମସ୍ତ ହକି ଖେଳାଳୀ ରହିବେ । ତେଣୁ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ରାଉରକେଲାବାସୀ ଯୋଗ ଦେବା ପାଇଁ ସେକ୍ଟର-୭ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ନିବେଦନ କରାଯାଇଛି । ଉଦ୍ଘାଟନୀ ଉତ୍ସବରେ ବିଶ୍ୱକପ୍ର ସାଙ୍କେତିକ ପ୍ରଚାରକ ମାସ୍କଟ “ଓଲି’ ମଧ୍ୟ ବାର୍ତ୍ତା ପ୍ରଚାର ଓ ପ୍ରସାର କରିବ ।

By amfnews

Related Post