Sun. Mar 8th, 2026

ଦୁଇ ଗୋରୁ ବୋଝେଇ ଗାଡ଼ିରୁ ୩୦୦ରୁ ଅଧିକ ଗୋରୁ ଉଦ୍ଧାର , ୮ଅଟକ

158 Views

ବାହାନଗା/ ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଖନ୍ତାପଡା ଥାନା ସେରଗଡ଼ଠାରେ ଭୋର ସମୟରେ ଦୁଇ ଗୋରୁ ବୋଝେଇ କଣ୍ଟେନରକୁ କିଛି ସ୍ଥାନୀୟ ଯୁବକ ଅଟକାଇଛନ୍ତି। ସକାଳେ ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। କଣ୍ଟେନରରେ ବନ୍ଧାଯାଇଥିବା ଗୋରୁ ଗୁଡିକୁ ସ୍ଥାନୀୟ ଲୋକେ ଖୋଲି ଦେଇଥିଲେ। କିଛି ସମୟ ପାଇଁ ରାଜପଥ ଉପରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଖବରପାଇ ସେରଗଡ଼ ଫାଣ୍ଡି ଅଧିକାରୀ  ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲେ। କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବାବେଳେ ଗାଡି ଦୁଇଟି ରାସ୍ତା ଉପରେ ରହିଥିବାର ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ୭ଟି କଣ୍ଟେନର ଆଗ ପଛ ହୋଇ ଯାଉଥିବା ବେଳେ ଭୋର ସାଢ଼େ ୫ଟା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସନ୍ଦେହରେ ଗାଡିକୁ ଅଟକାଇ ଥିଲେ। ୩ଟି କଣ୍ଟେନର ଦ୍ରୁତ ଗତିରେ ଫେରାର ହୋଇଥିବା ବେଳେ ଦୁଇଟି କଣ୍ଟେନର ଅଟକି ଥିଲେ। ଗାଡି ଅଟକିବା ପରେ ଗାଡ଼ିରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ।

ଦୁଇଟି କଣ୍ଟେନରରେ ୩ଶହରୁ ଅଧିକଗୋରୁ ଥିବାର ଦେଖିବାକୁ ମିଳିଥିବା ବେଳେ ଅର୍ଦ୍ଧାଧିକ ଷଣ୍ଢ ରହିଛନ୍ତି।ଦୁଇଟି ଏସକର୍ଟ ବୋଲେରୋ ଗାଡ଼ି ଭିତରୁ ଲୋକେ ଅଟକାଇଥିଲେ। ଏଥିରେ ଥିବା ୮ଜଣଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି।ପୁଲିସ ପ୍ରଶାସନର ଜାଣତରେ ଏଭଳି ବେଲଗାମ ଗୋରୁ ଚୋରାଚାଲାଣ ଚାଲିଥିବାର ଅଭିଯୋଗ ହେଉଛି।

By amfnews

Related Post