357 Views
ନୂଆଦିଲ୍ଲୀ, ଅକ୍ଟୋବର ୨୦ :ଦିଲ୍ଲୀରେ ଦଶହରା ଦିନ ରାବଣର କୁଶ ପୁତଳିକାକୁ ପୁଲିସ ଜବତ କରି ନିଜ ସହ ଥାନାକୁ ନେଇ ଯାଇଛି । ଏଠାରେ କିଛି ଲୋକ ରାବଣ ଦହନ ପାଇଁ ପ୍ରସ୍ତୁତି କରୁଥିଲେ । ପୁଲିସ କହିବା ମୁତାବକ, ସେମାନଙ୍କୁ ରାବଣ ଦହନ ପାଇଁ ମଞ୍ଜୁରୀ ମିଳି ନଥିଲା । ସେଥିପାଇଁ ସେମାନଙ୍କୁ ରୋକା ଯାଇଛି । ବୁଝାସୁଝା କରିବା ସତ୍ୱେ ମଧ୍ୟ ପୁଲିସକୁ ଏପରି କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଥିଲା । ତେବେ ପୁଲିସ କହୁଛି ଯେ, ପୁତଳିକାକୁ ନେଇ ଅଦାଲତର ନିର୍ଦ୍ଦେଶରେ ହିଁ ଜାମିନ ହୋଇ ପାରିବ ।
ଘଟଣାକ୍ରମେ, ସୁଖ ବିହାର ତିକୋନା ପାର୍କ ରୋଡ ସ୍ଥିତ ସାମୁଦାୟିକ ଭବନ ନିକଟରେ ୪୦ ଫୁଟ ଉଚ୍ଚତାର ରାବଣ ଦହନ ହେବାର ଥିଲା । ଫ୍ରେଣ୍ଡସ ୟୁନିଅନ ରାମଲୀଳା ଡେମୋକ୍ରାଟିକ କ୍ଲବ ତରଫରୁ ମୁଖ୍ୟ ମାର୍ଗରେ ପୁତଳିକା ଠିଆ କରା ଯାଇଥିଲା । ସେମାନଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ପାର୍କରେ ରାମଲୀଳା କରିବା ପାଇଁ ପୁଲିସ ଅନୁମତି ନଦେଉ ଥିବା କାରଣରୁ ଲୋକମାନେ ରାସ୍ତା କଡର ସାହାରା ନେଇଥିଲେ ।
ସେହି ସମୟରେ ପୁଲିସର କହିବା ଅନୁଯାୟୀ, ମୁଖ୍ୟ ମାର୍ଗରେ ପୁତଳିକା ଦହନ ପାଇଁ ଅନୁମତି ଦିଆ ଯିବ ନାହିଁ । ଏହା ଦ୍ୱାରା ବଡ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଏହି ଘଟଣାକୁ ନେଇ ଲୋକମାନେ ପୁଲିସ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।