Fri. Jun 13th, 2025

ଦାଦନ ଯିବେ ଓଡ଼ିଆ ଠିକାଦାର ! ୭୫ ଲକ୍ଷ ଶ୍ରମିକଙ୍କ ଜୀବନ ଜୀବିକା ବିପନ୍ନ

By amfnews Nov 14, 2019 #Featured
168 Views

ଭୁବନେଶ୍ବର : ନିଖିଳି ଓଡ଼ିଶା ଠିକାଦାର ସଂଘର ପ୍ରତିନିଧି ଦଳ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଆଜି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଦାନ କରିବା ସହ ଏ ସମ୍ପର୍କରେ ବିଧାନସଭାରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି। ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ଏହି ୧୦ ଦଫା ଦାବି ସମ୍ପର୍କରେ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ୧ ତାରିଖରୁ ଓଡ଼ିଶାର ୪୦ ହଜାର ଠିକାଦାର କାମ ବନ୍ଦ ଆନ୍ଦୋଳନ କରୁଛନ୍ତି। ଫଳରେ ୭୫ ଲକ୍ଷ ଶ୍ରମିକଙ୍କ ଜୀବନଜୀବିକା ଉପରେ ପ୍ରଶ୍ନ ଉଠିଛି। ଦାବିଗୁଡ଼ିକ ପ୍ରତି ସରକାର ଅଣଦେଖା କଲେ, ପରିସ୍ଥିତି ଭୟାବହ ହେବ। ଓଡ଼ିଶାରେ ଦାଦନ ଠିକାଦାରର ନୂଆ ପରମ୍ପରା ସୃଷ୍ଟି ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି।

ଲଘୁ ଖଣିଜ ପଦାର୍ଥ ପାଇଁ ନୂଆ ନିୟମ ଲାଗୁ ହେବା ଫଳରେ ଠିକାଦାରମାନେ ବ୍ୟବହାର କରୁଥିବା ବାଲି, ଗୋଡ଼ି, ମାଟି ଆଦି ସାମଗ୍ରୀ ଉପରେ ଟ୍ରାନଜିଟ୍‌ ପାସ୍‌ର ବ୍ୟବସ୍ଥା କରାଗଲା। ମାତ୍ର ସରକାରୀସ୍ତରରେ ଏହି ପାସ୍‌ କିଏ ଦେବ, ତା’ର କୌଣସି ବ୍ୟବସ୍ଥା କରାଗଲା ନାହିଁ। ଫଳରେ ଠିକାଦାରଙ୍କ ବିଲ୍‌ରୁ ଏହା ବାଦ୍‌ ଦିଆଯାଉଛି। ଠିକାଦାରମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସେହିପରି ଟେଣ୍ଡର୍‌ ପ୍ରକ୍ରିୟା‌ରେ ୧୪.୯୯ ଭାଗ କମରେ ଦିଆଯାଉଥିବାରୁ ଅସ୍ବାସ୍ଥ୍ୟକର ପ୍ରତିଯୋଗିତା ହେଉଛି। ଉନ୍ନତମାନର କାମ କରି ହେଉନାହିଁ। ଉଭୟ ଠିକାଦାର ଓ ସାଧାରଣ ଜନତା କ୍ଷତିଗ୍ରସ୍ତ ହେଉଛନ୍ତି। ଠିକାଦାରମାନେ ଯେଉଁ ମୂଲ୍ୟରେ କାମ ନେଉଛନ୍ତି, ପରିବର୍ତିତ ପରିସ୍ଥିତିରେ ପୁନଃ ମୂଲ୍ୟାୟନ ହେଉନାହିଁ। ଯେମିତି ସର୍ବନିମ୍ନ ମଜୁରି ବଢ଼ିଲେ, ପେଟ୍ରୋଲ ବା ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀର ମୂଲ୍ୟ ବଢ଼ିଲେ ମଧ୍ୟ କାମର ମୂଲ୍ୟ ବଢ଼ୁ ନାହିଁ। ସେହିପରି କାମ ମୂଲ୍ୟ ବୃଦ୍ଧିରେ ରାଜ୍ୟ ସରକାରଙ୍କ ମାପକାଠି ବ୍ୟବହାର ହେଉଥିବା ବେଳେ ମାପ ଓ ଗୁଣବତ୍ତାରେ କେନ୍ଦ୍ର ସରକାରଙ୍କ ମାପକାଠି ବ୍ୟବହାର କରାଯାଉଛି। ଫଳରେ ଠିକାଦାରମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଛୋଟ ଛୋଟ କାମକୁ ସ୍ବତନ୍ତ୍ର ଭାବେ ଟେଣ୍ଡର୍‌ ନ କରି ଏକାଠି ବଡ଼ ଟେଣ୍ଡର୍‌ କରିବାରୁ ଟେଣ୍ଡର୍‌ ପ୍ରକ୍ରିୟାରୁ ଛୋଟଛୋଟ ଓଡ଼ିଆ ଠିକାଦାରମାନେ ବଞ୍ଚିତ ହେଉଛନ୍ତି। ବଡ଼ ଟେଣ୍ଡର୍‌କୁ ରାଜ୍ୟ ବାହାରର ବଡ଼ ବଡ଼ ଠିକାଦାରଙ୍କ ହାତରେ ଟେକି ଦିଆଯାଉଛି। ପୁଣି ସେହି ବଡ଼ ଠିକାଦାରମାନେ ଓଡ଼ିଆ ଠିକାଦାରମାନଙ୍କୁ ସବ୍‌-କଣ୍ଟ୍ରାକ୍ଟ ଜରିଆରେ କାମ ଦେଉଛନ୍ତି। ଲାଭ ବଡ଼ ଅଣ ଓଡ଼ିଆ ଠିକାଦାର ନେଉଥିବା ବେଳେ ଓଡ଼ିଆ ଠିକାଦାରମାନେ ବେଠି ଖଟିଲା ପରି କାମ କରୁଛନ୍ତି।

ଏସବୁ ଦାବି ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସମାଧାନର ବାଟ ନ ଫିଟାଇଲେ, ସଂଘ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

By amfnews

Related Post