Tue. Dec 24th, 2024

ଦସ୍ୟୁ ରତ୍ନାକର ବାଲ୍ମିକୀ ହେବ କି !

patnaikprasanta1@gmail.com' By Prasanta Patnaik Apr 30, 2018 #Featured
1,181 Views

ରାମାୟଣର ଲେଖକ ମହାମୁନି ବାଲ୍ମିକୀ ଦୀର୍ଘ ବର୍ଷ ତପସ୍ୟା କରି ଦସ୍ୟୁ ରତ୍ନାକରରୁ ଋଷି ବାଲ୍ମିକୀରେ ପରିଣତ ହୋଇଥିବା ସମସ୍ତେ ଜାଣନ୍ତି । ଦସ୍ୟୁ ରତ୍ନାକର ନିଜ ପରିବାରର ପ୍ରତିପୋଷଣ ପାଇଁ ପଥଚାରୀମାନଙ୍କୁ ହତ୍ୟା କରିବା ସଙ୍ଗେ ସଙ୍ଗେ ଲୁଣ୍ଠନ ମଧ୍ୟ କରୁଥିଲା ଏବଂ ଏହି ଲୁଣ୍ଠିତ ଅର୍ଥରେ ନିଜର ପରିବାର ପ୍ରତିପୋଷଣ କରୁଥିଲା । ହତ୍ୟା ଓ ଲୁଣ୍ଠନ ଭଳି ଜଘନ୍ୟ ଅପରାଧ ଘଟାଇ ସେ ଯେଉଁ ପାପ କରୁଥିଲା, ସେହି ପାପରେ ଭାଗିଦାର ହେବା ଲାଗି ପରିବାରର ସମସ୍ତ ବ୍ୟକ୍ତି ଯେତେବେଳେ ପ୍ରତ୍ୟାଖ୍ୟାନ କଲେ, ଦସ୍ୟୁ ରତ୍ନାକର ଉପାୟ ନ ପାଇ ଘୋର ଜଙ୍ଗଲ ଭିତରେ ଧ୍ୟାନ ମଗ୍ନ ହୋଇ ମୁକ୍ତିର ପଥ ଖୋଜୁଥିଲା । ପରିଶେଷରେ ସେ ଯେଉଁ ଜ୍ଞାନ ଲାଭ କଲା, ତା’ ଫଳରେ ହିଁ ରାମାୟଣ ଭଳି ମହାକାବ୍ୟ ଲେଖିବା ପାଇଁ ସମର୍ଥ ହୋଇଥିଲା । ସମ୍ପ୍ରତି ଆମ ଦେଶରେ ବାଲ୍ମିକୀ ଘଟଣାର ପୁନରାବୃତ୍ତି ଘଟୁଛି ବୋଲି ଅନେକେ ବୁଦ୍ଧିଜୀବୀ ଏବଂ ରାଜନୈତିକ ସଚେତନ ବ୍ୟକ୍ତିମାନେ ଅନୁଭବ କରୁୁଛନ୍ତି । ଦେଶର ଐତିହ୍ୟ ସମ୍ପନ୍ନ ଦୁର୍ମୂଲ୍ୟ କୀର୍ତ୍ତିଗୁଡ଼ିକୁ ଘରୋଇ ଶିଳ୍ପସଂସ୍ଥା ହାତକୁ ଟେକିଦେବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନେକଙ୍କୁ ଏଭଳି ମନ୍ତବ୍ୟ ଦେବା ଲାଗି ଖୋରାକ୍ ଯୋଗାଇ ଦେଇଥିବା ଅନୁଭୂତ ହେଉଛି ।
ଅବଶ୍ୟ ପରିବାର ପ୍ରତିପୋଷଣ ଭଳି ଗୁରୁଦାୟିତ୍ୱ ତୁଲାଇବା ପାଇଁ ରତ୍ନାକର ଦସ୍ୟୁ ପାଲଟି ହତ୍ୟା ଓ ଲୁଣ୍ଠନ କରିବା ନିମନ୍ତେ ବାଧ୍ୟ ହୋଇଥିଲା । ମାତ୍ର ଆମ ଦେଶର ଦୁର୍ମୂଲ୍ୟ ଐତିହାସିକ କୀର୍ତ୍ତିରାଜିକୁ ଘରୋଇ ବ୍ୟବସାୟୀ ସଂସ୍ଥାମାନଙ୍କ ହାତକୁ ଟେକିଦେବା ଲାଗି କେନ୍ଦ୍ର ସରକାରଙ୍କ ସମ୍ମୁଖରେ ସେଭଳି ଅଭାବନୀୟ ପରିସ୍ଥିତି କ’ଣ ଥିଲା, ତାହା ଏବେ ମଧ୍ୟ ରହସ୍ୟାବୃତ୍ତ ହୋଇ ରହିଛି । ଏଭଳି ପଦକ୍ଷେପ ଫଳରେ ଦେଶର ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜି ଯଦି ଶୋଚନୀୟ ଭାବରେ କ୍ଷତିଗ୍ରସ୍ତ ହେବ, ତେବେ ସେଥିପାଇଁ ଭାଗିଦାର ହେବା ଲାଗି ହୁଏତ କେହି ସମ୍ମତ ହେବାର ସମ୍ଭାବନା କ୍ଷୀଣ ।
ସମଗ୍ର ବିଶ୍ୱରେ ଭାରତ ତା’ର ଐତିହ୍ୟ ଏବଂ ଐତିହାସିକ କୀର୍ତ୍ତିରାଜି ପାଇଁ ଦୀର୍ଘକାଳରୁ ପ୍ରଶଂସିତ ଓ ସମ୍ମାନିତ ହୋଇ ଆସିଛି । ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ଭିତରେ ଆଗ୍ରାର ତାଜମହଲ୍ ଏବଂ ଓଡ଼ିଶାର କୋଣାର୍କ ମନ୍ଦିରର ଖ୍ୟାତି ଅକ୍ଷୁର୍ଣ୍ଣ ରହିଛି । ଯେଉଁସବୁ ଐତିହାସିକ କୀର୍ତ୍ତିରାଜିକୁ ନେଇ ପ୍ରତ୍ୟେକ ଭାରତୀୟ ସମ୍ମାନିତ ଓ ଗର୍ବିତ ସେ ସବୁର ରକ୍ଷଣାବେକ୍ଷଣ ଏବଂ ପାରିପାଶ୍ୱିର୍କ ବାତାବରଣର ଉନ୍ନୟନକୁ ବିଦେଶୀ ଶାସକମାନେ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଥିବା କାହାରିକୁ ଅବିଦିତ ନାହିଁ ।
ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ମଧ୍ୟ ଦେଶର ଶାସନ ଗାଦିରେ ଥିବା ସରକାର ଭାରତର ଐତିହ୍ୟ ଓ ଐତିହାସିକ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ପାଇଁ ସର୍ବଦା ପଦକ୍ଷେପ ନେଇଛନ୍ତି । ଭାରତ ବର୍ଷ ସ୍ୱାଧୀନତା ଲାଭପରେ ଦିଲ୍ଳୀର ଲାଲକିଲ୍ଲା ଉପରୁ ଇଂରେଜ ସରକାରଙ୍କ ୟୁନିଅନ୍ ଜ୍ୟାକ୍ ଅବତରଣ କରାଯାଇ ତା’ସ୍ଥାନରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା । ପ୍ରତିବର୍ଷ ଭାରତର ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଉପରେ ଜାତୀୟ ପତକା ଉତ୍ତୋଳନ କରି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥାନ୍ତି । ମାତ୍ର ଘୋର ଦୁଃଖର କଥା ଯେ ଏହି ଗୌରବମୟ ଲାଲକିଲ୍ଲାକୁ ମୋଦି ସରକାର ଘରୋଇ ବ୍ୟବସାୟ ସଂସ୍ଥା ହାତରେ ଟେକି ଦେବା ଲାଗି ସ୍ଥିର କରି ଭାରତୀୟ ଐତିହ୍ୟ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ଓ ବିକାଶ ଲାଗି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ‘ଆଡପ୍ଟ ଏ ହେରିଟେଜ୍’ ପ୍ରକଳ୍ପ ନାମରେ ଡାଲମିଆ ଭାରତ ଗ୍ରୁପ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ୫ବର୍ଷିଆ ବୁଝାମଣାରେ ବର୍ଷକୁ ୫ କୋଟି ହିସାବରେ ଡାଲ୍ମିଆ ଗ୍ରୁପ୍କୁ ୨୫ କୋଟି ଟଙ୍କା ପ୍ରଦାନ କରାଯିବ । ଡାଲମିଆ ଗ୍ରୁପ୍ ମୂଳ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରିବା ସହ ଐତିହ୍ୟ କୀର୍ତ୍ତିରାଜିକୁ ସଂରକ୍ଷିତ କରିବ । ତେବେ ବିଜେପି ସରକାର ଏହାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସ୍ଆଇ) ପରିବର୍ତ୍ତେ ଘରୋଇ କମ୍ପାନୀକୁ ଏହାର ଦାୟିତ୍ୱ ଦେବାକୁ ନେଇ ପ୍ରଶ୍ନ ଉଠିଛି ।
ତେବେ ଲାଲ୍କିଲ୍ଲାଠାରେ ପାନୀୟ ଜଳର କିଓସ୍କୋ, ରାସ୍ତାର ଉନ୍ନତୀକରଣ ଏବଂ ଦୋକାନ ନିର୍ମାଣ ସହ ଶୌଚାଳୟଗୁଡ଼ିକର ଉନ୍ନତୀକରଣ, ଗମ୍ବୁଜ ଓ ଫୁଟ୍ପାଥ୍ ଉପରେ ନୂତନ ଆଲୋକୀକରଣର ବ୍ୟବସ୍ଥା କରାଯିବ । ଥ୍ରିଡ଼ି ପ୍ରୋଜେକ୍ଟର୍ ମ୍ୟାପିଂ ସହ ବ୍ୟାଟେରୀଚାଳିତ ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯିବା ପାଇଁ ଯୋଜନା ରହିଛି ।
ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜିକୁ ଘରୋଇ କମ୍ପାନୀକୁ ଦେବା ପଛରେ ଦେଶ ଓ ଇତିହାସ ପ୍ରତି କ’ଣ ପ୍ରତିବଦ୍ଧତା ରହିଛି । ଏସବୁ ବ୍ୟବସ୍ଥା କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଓ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ କରାଯିବା ସହିତ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ଓ ନିରାପତ୍ତା ପାଇଁ ସବୁପ୍ରକାର ସୁଯୋଗ ସୃଷ୍ଟିକରିବା ଦିଗରେ ସାମାନ୍ୟତମ ଅବହେଳା ବା ବ୍ୟତିକ୍ରମ କରାଯାଇଥିବା ପରିଲକ୍ଷିତ ହୋଇନଥିଲେ ମଧ୍ୟ ଶାସକ ବିଜେପି ଦଳ ପ୍ରତି ଅନୁରୁକ୍ତ ଥିବା ଏକ ଶିଳ୍ପ ସଂସ୍ଥାକୁ ଉପକୃତ କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଉଛି, ତାହା ନିଶ୍ଚିତ ଭାବରେ ଭାରତର ଐତିହ୍ୟ, ସମ୍ମାନ ଏବଂ ଅହଂକାର ପ୍ରତି ପ୍ରଚଣ୍ଡ କୁଠାରଘାତ ହେବ ବୋଲି ଦେଶର ବୁଦ୍ଧିଜୀବୀ ଓ ସାଧାରଣ ଜନତା ଅନୁଭବ କରିବା ସ୍ୱାଭାବିକ । ଏଭଳି ଆତ୍ମଘାତୀ ପଦକ୍ଷେପ ନେବାର କ’ଣ ଆବଶ୍ୟକତା ଥିଲା, ତାହା କେନ୍ଦ୍ର ସରକାର ଦେଶବାସୀଙ୍କୁ ଅବଗତ ନ କରାଇ ଅଚାନକ ଭାବରେ ଘରୋଇ କମ୍ପାନୀ ହାତକୁ ଦେଶର ଐତିହ୍ୟ ଓ କୀର୍ତ୍ତିରାଜିକୁ ଟେକି ଦେବା ଲାଗି ପଦକ୍ଷେପ ନେବା ପ୍ରତ୍ୟେକ ଦେଶପ୍ରେମୀ ତଥା ସାଧାରଣ ଜନତାଙ୍କୁ ଚକିତ କରିଛି ।
୧୬୩୯ ଖ୍ରୀଷ୍ଟାବ୍ଦରେ ମୋଗଲ ସମ୍ରାଟ୍ ଶାହାଜାହନଙ୍କ ସମୟରେ ଏହି ଐତିହାସିକ କୀର୍ତ୍ତିରାଜିଟି ନିର୍ମାଣ ହୋଇଥିଲା । ଭାରତର ଦିଲ୍ଳୀ ସହରର ଏହି ଐତିହାସିକ କିଲ୍ଲାଟି ୧୮୫୬ ପର୍ଯ୍ୟନ୍ତ ପ୍ରାୟ ପାଖାପାଖି ୨୦୦ ବର୍ଷ ଯାଏଁ ମୋଗଲ ଶାସକର ମୁଖ୍ୟ ନିବାସସ୍ଥଳ ଭାବରେ ପରିଚିତି ବହନ କରିଛି । ଏହି କିଲ୍ଲାଟି ଲାଲ ପଥରରେ ନିର୍ମିତ କରାଯାଇଥିବାରୁ କିଲ୍ଲାଟିର ପ୍ରାଚୀରର ରଙ୍ଗ ଲାଲ୍ ହୋଇଥିବାରୁ ଏହି ଦୁର୍ଗଟିର ନାମକରଣ ‘ଲାଲ କିଲ୍ଳା’ ରଖଯାଇଥିଲା । ମୋଗଲ ସମ୍ରାଟ୍ ଶାହାଜାହନଙ୍କ ରାଜୁତ୍ୱ କାଳରେ ଏହି କିଲ୍ଲାଟିରେ ଉଚ୍ଚତର କଳା ଓ ବିଭୂଷକ କାର୍ଯ୍ୟର ଦୃଶ୍ୟ ଦେଖିବାକୁ ମିଳେ । ଏହି କିଲ୍ଲାରେ ଦେଖିବାକୁ ମିଳିଥାଏ ଫରାସୀ, ଭାରତୀୟ ତଥା ୟୁରୋପୀୟ କଳାର ସମ୍ମିଶ୍ରଣ । ତାଜମହଲ୍ ପରି ଲାଲ୍କିଲ୍ଲା ମଧ୍ୟ ଯମୁନା ନଦୀର ପାଶ୍ୱର୍ରେ ଅବସ୍ଥିତ । ଏହି ଐତିହାସିକ ଦୁର୍ଗର ନିର୍ମାଣ ୧୬୩୮ରୁ ଆରମ୍ଭ ହୋଇ ୧୯୪୮ରେ ଶେଷ ହୋଇଥିଲା । ଏହି ଦୁର୍ଗର ପ୍ରାଚୀର ୨.୫ କିମି. ଲମ୍ବା ଏବଂ ଏହାର ଉଚ୍ଚତା ୬୦ ଫୁଟ୍ । ୧୮ଶହ ଶତାବ୍ଦୀରେ କିଛି ଆକ୍ରମଣକାରୀଙ୍କ ଦ୍ୱାରା ଏହି ଦୁର୍ଗ ଶିକାର ହୋଇଥିଲା । ୧୮୫୭ ମସିହା ସିପାହୀ ବିଦ୍ରୋହ ପରେ ଏହି ଦୁର୍ଗଟି ବ୍ରିଟିଶ୍ ସେନାଙ୍କ କାର୍ଯ୍ୟାଳୟ ରୂପେ ପରିଚିହ୍ନିତ ହେଲା । ଏହି ସମୟରେ ଏହି ଦୁର୍ଗର ଅଶି ପ୍ରତିଶତ ମଣ୍ଡପ ତଥା ଉଦ୍ୟାନ ନଷ୍ଟ ହୋଇଯାଇଥିଲା । ଏହି ଦୁର୍ଗର ନଷ୍ଟ ହୋଇଥିବା କିଛି ମଣ୍ଡପକୁ ୧୯୦୩ ମସିହାରେ ପୁର୍ନରୁଦ୍ଧାର କରାଯାଇଥିଲା । ଦିଲ୍ଲୀ ସହରର ସର୍ବପୁରାତନ ସ୍ମାରକ ମଧ୍ୟରେ ଲାଲକିଲ୍ଲା ଅନ୍ୟତମ । ଗୋଟେ ସମୟରେ ୩୦୦୦ ଲୋକ ଏହି ଦୁର୍ଗରେ ଆଶ୍ରୟ ନେଇଥିଲେ । ଭାରତର ସ୍ୱାଧୀନତା ପ୍ରାପ୍ତି ପରେ ଲାଲକିଲ୍ଲା ଭାରତୀୟ ସେନାଙ୍କ ଅଧିକୃତ ହୋଇରହିଥିଲା । ୨୦୦୩ ମସିହାରେ ଭାରତୀୟ ସେନା ଏହି ଐତିହାସିକ କୀର୍ତ୍ତି ରାଜିକୁ ଭାରତୀୟ ପର୍ଯ୍ୟଟନ ବିଭାଗକୁ ଦେଇଥିଲେ । ୨୦୦୦ ମସିହାରେ ଲଶ୍କର-ଏ-ତେଏବା ଆତଙ୍କବାଦୀଙ୍କ ଦ୍ୱାରା ଏଠାରେ ଆତଙ୍କୀ ହମଲା ମଧ୍ୟ ହୋଇଥିଲା । ୨୦୦୭ ମସିହାରେ ୟୁନେସ୍କୋ ତରଫରୁ ଏହା ଭାରତୀୟ ଐତିହ୍ୟ କୀର୍ତ୍ତିରାଜିର ମାନ୍ୟତା ପ୍ରାପ୍ତ ହୋଇଥିଲା ।
ତେରଶହ ଶତାବ୍ଦୀରେ ନିର୍ମାଣ ହୋଇଥିବା ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର ସୂର୍ଯ୍ୟଙ୍କର ବିଶାଳ ରଥ ରୂପେ ପରିଚିତ । ଭାରତର ସବୁଠୁ ସୁନ୍ଦର ତଥା ଉତ୍ତମ କାରିଗରୀ ଶୈଳୀରେ ନିର୍ମିତ ଏହି ମନ୍ଦିରଟି ତା’ର କଳା ଓ ଭାସ୍କର୍ଯ୍ୟରେ ସମସ୍ତଙ୍କୁ ଆକୃଷ୍ଟ କରେ । ବିଭିନ୍ନ ଐତିହାସିକ କାରଣରୁ କୋଣାର୍କ ମନ୍ଦିର ତା’ର ମୂଳ ସୌନ୍ଦର୍ଯ୍ୟ ହରାଇଥିବା କାହାରିକୁ ଅବିଦିତ ନାହିଁ । ୧୫୬୮ ମସିହାରେ କଳାପାହାଡ଼ ଦ୍ୱାରା କୋଣାର୍କ ମନ୍ଦିରଟି ଶୋଚନୀୟ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହାର ନାଟ୍ୟମଣ୍ଡପ ଓ ମୂଳମନ୍ଦିରଟି ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ସ୍ଥଳେ ଏହାର ମୁଖଶାଳାଟି କେତେକ ପରିମାଣରେ ସୁରକ୍ଷିତ ଥିଲା । ପରବର୍ତ୍ତୀ କାଳରେ ମୁଖଶାଳା ପ୍ରତି ବିପଦ ଦେଖାଯିବାରୁ ୧୯୪୯ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଏହାର ସୁରକ୍ଷା ଦାୟିତ୍ୱ ସହ ମନ୍ଦିରର ରକ୍ଷଣାବେକ୍ଷଣ କାମ ହାତକୁ ନିଆଯାଇଥିଲା ।
ଗତ ଏପ୍ରିଲ୍ ୧ ତାରିଖ ତଥା ଉକ୍ରଳ ଦିବସ ଅବସରରେ ପେଟ୍ରୋଲିୟମ୍ ଓ ମାନବ ସମ୍ବଳ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ତଥା ସଂରକ୍ଷଣ କରିବା ଦିଗରେ ଦୃଢ ପଦକ୍ଷେପର ଶୁଭାରମ୍ଭ କରାଇଥିଲେ । ତେବେ ଏତେ ବର୍ଷର ଐତିହ୍ୟ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ ପାଇଁ ଏହାକୁ ଡାଲ୍ମିଆ କମ୍ପାନୀକୁ ଟେକି ଦିଆଯାଇଛି ।
ଭାରତ ସରକାରଙ୍କର ଐତିହ୍ୟ କୀର୍ତ୍ତିରାଜିକୁ କମ୍ପାନୀକରଣ କରିବା ଆମ ସଂସ୍କୃତି ତଥା ଐତିହ୍ୟକୁ କେତେ ପରିମାଣରେ ସୁରକ୍ଷା ତଥା ସଂରକ୍ଷିତ କରିବ, ତାହା ସମୟ ହିଁ ପ୍ରମାଣିତ କରିବ । ମାତ୍ର ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ନଗଲେ ହେଲା ।

Related Post